Skip to content

ବେଆଇନ ପଥର ଖଣିରେ ପୋଲିସର ଚଢାଉ, ୪ ଗିରଫ।


ଖଣ୍ଡପଡ଼ା,୧୩/୫(ଆ.ପ୍ର)-ଖଣ୍ଡପଡ଼ା ତହସିଲ ଅଧିନ ସିଂଘାପଡା ପଞ୍ଚାୟତର ବେଡାଙ୍ଗୀ ପଥରଖଣିରୁ ବେଆଇନ ଭାବେ ବର୍ଷ ବର୍ଷ ଧରି ମାଫିଆ ମାନେ ଡିନାମାଇଟ ସାହାଯ୍ୟରେ ଲଘୁ ଖଣିଜ ସମ୍ପଦ ଲୁଟ କରି ଆସୁଥିବା ନେଇ ପ୍ରଶାସନ ନିକଟରେ ଅଭିଯୋଗ ହୋଇ ଆସୁଥିଲା। ଅଭିଯୋଗ ଆଧାରରେ ଖଣ୍ଡପଡ଼ା ଏସଡିପିଓ ସଦଳବଳେ ଖଣି ବିଭାଗ ଅଧିକାରୀଙ୍କ ସହ ଘଟଣା ସ୍ଥଳରେ ଚଢାଉ କରିଥିଲେ। ଚଢାଉ ସମୟରେ ଗୋଟିଏ ଟ୍ରାକ୍ଟର, ଗୋଟିଏ କମ୍ପ୍ରେସର ମେସିନ ଓ ବିସ୍ପୋରକ ସାମଗ୍ରୀ ଜବତ ହୋଇଥିବା ଜଣାପଡିଛି।

ଏହି କାରବାରରେ ସମ୍ପୃକ୍ତ ୪ ଅଭିଯୁକ୍ତକୁ ପୋଲିସ ଗିରଫ କରିଛି। ଅଭିଯୁକ୍ତ ମାନେ ହେଲେ ଭାପୁର ବ୍ଲକ ଅଧିନ ଵଳଦିଆ ନୂଆଗାଁର ପୀତବାସ ବେହେରା (୫୪), ପଥରପୁଞ୍ଜି ଗ୍ରାମର ଉପେନ୍ଦ୍ର କୁମାର ସ୍ବାଇଁ (୪୯), ବାଘୁଆପଲ୍ଲୀ ଗ୍ରାମର ସୁଦାମ ମଲ୍ଲିକ (୫୦)ଙ୍କ ସମେତ କେନ୍ଦୁଝର ଜିଲ୍ଲାର ତୁରୁମୁଙ୍ଗା ଥାନା ଅଧିନ ମଙ୍ଗଳପୁର ଗ୍ରାମର ବେଲାଳସେନ ପାତ୍ର ଓରଫ ବାଦଲ (୪୧) ପ୍ରମୁଖଙ୍କୁ ପୁଲିସ ଗିରଫ କରି ସୋମବାର ଅଦାଲତ ଚାଲାଣ କରିଥିବା ଜଣାପଡ଼ିଛି। ଏ ସମ୍ପର୍କରେ ଏକ ମାମଲା ରୁଜୁ ହୋଇଥିବା ନେଇ ଖଣ୍ଡପଡ଼ା ଏସଡିପିଓ ମଦନମୋହନ ପ୍ରଧାନଙ୍କ ଠାରୁ ଜଣାପଡିଛି। ପୁଲିସର ଏହି ଚଢାଉ ଅଭିଯାନ ପରେ ଖଣ୍ଡପଡ଼ା ଅଞ୍ଚଳର ବିଭିନ୍ନ ସ୍ଥାନରୁ ଲଘୁ ଖଣିଜ ସମ୍ପଦ ଲୁଟ କରୁଥିବା ମାଫିଆ ମାନଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି। ଅପରପକ୍ଷେ ଉକ୍ତ ସ୍ଥାନରେ ଦୀର୍ଘ ବର୍ଷ ଧରି ଖଣି ବିଭାଗ ଓ ସ୍ଥାନୀୟ ପୋଲିସର ନିଶ ତଳେ ବେଆଇନ ଭାବେ କିପରି ଏହି ପଥରଖଣି ଚାଲିଥିଲା ତାହା ଏକ ପ୍ରଶ୍ନବାଚୀ ? ତେବେ ବିଳମ୍ବରେ ହେଲେ ମଧ୍ୟ ପୋଲିସ ପ୍ରଶାସନ ଓ ଖଣି ବିଭାଗର ମିଳିତ ସହଯୋଗରେ ଚଢାଉ କରାଯାଇ ଥିବାରୁ ଅଞ୍ଚଳବାସୀ ପ୍ରଶାସନ ଉପରେ ସନ୍ତୋଷ ପ୍ରକାଶ କରିଛନ୍ତି। ଏଥି ସହିତ ମାଷ୍ଟରମାଇଣ୍ଡ ମାଫିଆଙ୍କୁ ତୁରନ୍ତ ଗିରଫ କରିବାକୁ ସାଧାରଣରେ ଦାବି ହେଉଛି।

Ad 1