ବ୍ଲକ ପ୍ରଶାସନର ସ୍ଥାଣୁତା ପାଇଁ “ଦାନା” ବଢ଼ାଉଛି ଭୟ

ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇ ଅବପାତରେ ପରିଣତ ହେବା ସହିତ ଆସନ୍ତାକାଲି ଏହା ବାତ୍ୟାର ରୂପ ନେବ । ୨୪ ତାରିଖ ରାତି ତଥା ୨୫ ତାରିଖ ସକାଳ ସୁଦ୍ଧା ଏହି ସମ୍ଭାବ୍ୟ ବାତ୍ୟା “ଦାନା ” ଉପକୂଳ ଅତିକ୍ରମ କରିବାର ପୂର୍ବାନୁମାନ କରାଯାଇଛି । ୨୩ ତାରିଖରୁ ରାଜ୍ୟରେ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଏଥିପାଇଁ ସମସ୍ତ ବିଭାଗୀୟ ଅଧିକାରୀ ମାନେ ଆଲର୍ଟ ରହିବାକୁ ରାଜ୍ୟ ସରକାର ଙ୍କ ତରଫରୁ ନିର୍ଦ୍ଦେଶ ଦିଆଯାଇଛି । କିନ୍ତୁ ଗଣିଆ ବ୍ଲକ ପ୍ରଶାସନ ଏକପ୍ରକାର ସ୍ଥାଣୁ ପାଲଟିଛି ।

ଏଯାବତ ବାତ୍ୟା ପାଇଁ ପ୍ରଶାସନିକ ସ୍ତରରେ କୈାଣସି ପୂର୍ବ ପ୍ରସ୍ତୁତି ହୋଇନାହିଁ । ଗଣିଆ ରେ ୩ଟି ବାତ୍ୟା ଆଶ୍ରୟସ୍ଥଳୀ ଥିଲେ ମଧ୍ୟ ସେଠାରେ ଆନୁଷଙ୍ଗିକ ବ୍ୟବସ୍ଥା ନାହିଁ । ବାତ୍ୟାକୁ ଦୃଷ୍ଟିରେ ରଖି ପନିପରିବା ଠାରୁ ଆରମ୍ଭ କରି ନିତ୍ୟବ୍ୟବହାର୍ଯ୍ୟ ଦ୍ରବ୍ୟର ଦର ବୃଦ୍ଧି ପାଇବାରେ ଲାଗିଥିଲେ ମଧ୍ୟ ଯୋଗାଣ ବିଭାଗ ଚୁପ୍ ବସି ରହିଛି । କିଛି ଅସାଧୁ ବ୍ୟବସାୟୀ ଆଳୁ ପିଆଜର ଅହେତୁକ ଦର ବୃଦ୍ଧି କରିଥିଲେ ମଧ୍ୟ ଉପାୟଶୂନ୍ୟ ହୋଇ ଲୋକେ ଅଧିକ ମୂଲ୍ୟରେ କ୍ରୟ କରୁଛନ୍ତି । ଗଣିଆର ଅନେକ ଗ୍ରାମ ନଦୀକୂଳିଆ ହୋଇଥିବା ବେଳେ ବଣଜଙ୍ଗଲ ଘେରା ଅଞ୍ଚଳ ଭାବେ ପରିଗଣିତ । ଅନେକ ଗରୀବ ନିରିହ ଜନସାଧାରଣ କଚ୍ଚା ଘରେ ବାସ କରୁଥିଲେ ମଧ୍ୟ ସେମାନଙ୍କୁ ସ୍ଥାନାନ୍ତର କରିବା ପାଇଁ ପ୍ରଶାସନ ତରଫରୁ କୈାଣସି ବନ୍ଦୋବସ୍ତ କରାଯାଇନାହିଁ। ଏଥିପ୍ରତି ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବା ସହିତ ବିହିତ ପଦକ୍ଷେପ ଗ୍ରହଣ କରିବାକୁ ଅଞ୍ଚଳବାସୀ ଦାବୀ କରିଛନ୍ତି।

You might also like