ଗଣିଆ – ଗଣିଆ ବ୍ଲକ ସଭା ଗୃହରେ ମହାତ୍ମାଗାନ୍ଧୀ ଜାତୀୟ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ଅନ୍ତର୍ଗତ ବ୍ଳକ ସ୍ତରୀୟ ଜନଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ଜିଲ୍ଲା ସାମାଜିକ ସମୀକ୍ଷକ,ଅମ୍ବୁସ ମ୍ୟାନ, ଅତିରିକ୍ତ ନିର୍ବାହୀ ଅଧିକାରୀ ଆଲବର୍ଟ ଲାକ୍ରା ,ବ୍ଳକ ଅଧ୍ୟକ୍ଷା ଝୁନା ଜେନା, ଉପାଧ୍ୟକ୍ଷ ରାଜକିଶୋର ସାହୁ,ବିଡ଼ିଓ ପ୍ରିତିବାଳା ରଣା, ସହକାରୀ ଯନ୍ତ୍ରୀ ଅଜିତା ପ୍ରିୟଦର୍ଶିନୀ , ଜିଲ୍ଲା ପରିଷଦ ସଭ୍ୟ ନରେଶ କୁମାର ବେହେରା,ଏପିଇଓ ଇତିଶ୍ରୀ ଦାଶ ପ୍ରମୁଖ ମଞ୍ଚାସୀନ ଥିଲେ । ୫୫ ଜଣ ୧୦୦ ଦିନର କାର୍ଯ୍ୟ ପୂରଣ କରିଥିବା ବେଳେ ୬୦୭ଟି ପ୍ରକଳ୍ପ କାର୍ଯ୍ୟ ଶେଷ ହୋଇଛି ଏବଂ ୬୯୧ଟି ପ୍ରକଳ୍ପ କାର୍ଯ୍ୟ ଚାଲୁ ରହିଛି ବୋଲି ଏପିଇଓ ଜଣାଇଥିଲେ । ଅଧିକାରୀ ମାନେ ସମସ୍ତ କାର୍ଯ୍ୟ ତଦାରଖ କରିବା ସହିତ କିଭଳି ଅଧିକରୁ ଅଧିକ ଶ୍ରମିକ ନିୟୋଜିତ ହୋଇପାରିବେ ସେ ସମ୍ପର୍କରେ ଦୃଷ୍ଟି ଦେବାକୁ ଅମ୍ବୁସ ମ୍ୟାନ ପ୍ରକାଶ କରିଥିଲେ ।

ମନରେଗାରେ ଅଧିକ ପ୍ରକଳ୍ପ କିଭଳି ଗାଁ ଗୁଡ଼ିକରେ ହୋଇପାରିବ ସେଥିପାଇଁ ଲୋକପ୍ରତିନିଧି ମାନେ ଚେଷ୍ଟା କରିବା ଆବଶ୍ୟକ ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ । ବନବିଭାଗ, କୃଷି ବିଭାଗ ଏବଂ ଉଦ୍ୟାନ ବିଭାଗର ଅଧିକାରୀମାନଙ୍କର ମନରେଗା ଯୋଜନାରେ ଦାୟିତ୍ବ ଅଧିକ ବୋଲି ସାମାଜିକ ସମୀକ୍ଷକ ପ୍ରକାଶ କରିଥିଲେ । ଏହି ଯୋଜନାରେ ଯେଉଁ ମାନେ କାମ କରୁଛନ୍ତି ସେମାନଙ୍କର ଯାହା ବି ଅଭିଯୋଗ ଅଛି ସେମାନେ ରୋଜଗାର ଦିବସରେ ଅଭିଯୋଗ କରିପାରିବେ ବୋଲି ସେ ଜଣାଇଥିଲେ । ୮୫ଟି ଅଭିଯୋଗ ହସ୍ତଗତ ହୋଇଥିବା ସାମାଜିକ ସମୀକ୍ଷକ ମତ ଦେଇଥିବା ବେଳେ ସମସ୍ତ ଅଭିଯୋଗର ସମୀକ୍ଷା କରାଯାଇ ସଂପୃକ୍ତ ଅଧିକାରୀ ମାନଙ୍କୁ ତୁରନ୍ତ କାର୍ଯ୍ୟ କରିବାକୁ ନିର୍ଦ୍ଧେଶ ଦେଇଥିଲେ । ଏହି ବୈଠକରେ ବିଭିନ୍ନ ବିଭାଗର ଅଧିକାରୀ, ସ୍ବେଚ୍ଛାସେବୀ ସଙ୍ଗଠନ, ଲୋକପ୍ରତିନିଧି,ବ୍ଳକ କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ । ମୃତ୍ତିକା ସଂରକ୍ଷଣ ବିଭାଗ ଅଧିକାରୀ ସଭାକୁ ଆସୁନଥିବାରୁ ଅଧିକାରୀ ମାନେ କ୍ଷୋଭ ପ୍ରକାଶ କରିଥିଲେ । ଯେଉଁ ଅଧିକାରୀ ମାନେ କୈାଣସି କାର୍ଯ୍ୟ ଠିକରେ କରିନାହାନ୍ତି ସେମାନଙ୍କ ଠାରୁ ଜୋରିମାନା ଆଦାୟ କରାଯିବ ବୋଲିି ଅତିରିକ୍ତ ନିର୍ବାହୀ ଅଧିକାରୀ ନିର୍ଦେଶ ଦେଇଥିଲେ ।