ଭକ୍ତିସଙ୍ଗୀତ ପ୍ରତିଯୋଗିତା: ଅକ୍ଟୋବର ୬ରୁ ପ୍ରଥମ ପର୍ଯ୍ୟାୟ ଅଡିସନ

ନୟାଗଡ଼,୩/୧୦: ଗତ ବର୍ଷ ‘ସଙ୍ଗୀତଧାରା’,ନୟାଗଡ଼ ପକ୍ଷରୁ ଆୟୋଜିତ ହୋଇଥିବା ଜିଲ୍ଲାସ୍ତରୀୟ ଭକ୍ତି ସଙ୍ଗୀତ ପ୍ରତିଯୋଗିତା ଅପୂର୍ବ ସଫଳତା ହାସଲ କରିଥିବା ବେଳେ ଚଳିତ ବର୍ଷ ଅକ୍ଟୋବର ୬ ତାରିଖରୁ ପୁନର୍ବାର ଏହି କାର୍ଯ୍ୟକ୍ରମ ଆରମ୍ଭ ହେବାକୁ ଯାଉଛି । ଜିଲ୍ଲାରେ ଥିବା ଲୁକ୍କାୟିତ ସଙ୍ଗୀତ ପ୍ରତିଭା ମାନଙ୍କୁ ଲୋକଲୋଚନକୁ ଆଣି ସେମାନଙ୍କୁ ସମାଜରେ ନୂତନ ପରିଚୟ ସୃଷ୍ଟି କରାଇବା ପ୍ରୟାସରେ ‘ସଙ୍ଗୀତଧାରା’, ନୟାଗଡ଼ ପକ୍ଷରୁ ଗତ ବର୍ଷ ଠାରୁ ଏହି ଅଭିନବ ଉଦ୍ୟମ ଆରମ୍ଭ ହୋଇଛି। ଗତବର୍ଷ ଅନୁଷ୍ଠିତ ଚୂଡ଼ାନ୍ତ ପର୍ଯ୍ୟାୟ ପ୍ରତିଯୋଗିତାରେ ଓଡ଼ିଶାର ଲବ୍ଧ ପ୍ରତିଷ୍ଠିତ କଣ୍ଠଶିଳ୍ପୀ ଗୀତା ଦାଶ, ଆଲୋକ କୁଣ୍ଡୁ ଏବଂ ସଙ୍ଗୀତ ନିର୍ଦ୍ଦେଶକ ଅଶୋକ ଗଣ୍ଠିଆ ପ୍ରମୁଖ ବିଚାରକ ଭାବେ ଯୋଗଦାନ କରି ଶ୍ରେଷ୍ଠ ୩ଜଣ ପ୍ରତିଯୋଗୀଙ୍କୁ ଚୟନ କରିଥିଲେ। ଏହି ପରିପ୍ରେକ୍ଷୀରେ ଚଳିତ ବର୍ଷର ପ୍ରଥମ ପର୍ଯ୍ୟାୟ ଭକ୍ତି ସଙ୍ଗୀତ ଅଡିସନ ଓଡ଼ଗାଁ ବ୍ଳକରୁ ଆରମ୍ଭ ହେବାକୁ ଯାଉଛି । ଆସନ୍ତା ୬ ତାରିଖ ରବିବାର ଦିନ ଓଡ଼ଗାଁ କଲେଜ ରୋଡ଼ରେ ଥିବା ରେସପ୍ଲସ ଶିକ୍ଷା କେନ୍ଦ୍ରରେ ବିନା ବାଦ୍ୟଯନ୍ତ୍ରରେ କଣ୍ଠଶିଳ୍ପୀ ମାନେ ଅଡିସନ ଦେବେ। ଉଚ୍ଚ ବିଦ୍ୟାଳୟ, ମହାବିଦ୍ୟାଳୟ, ବିଶ୍ୱବିଦ୍ୟାଳୟ, ସଂଗୀତ ଅନୁଷ୍ଠାନ ଓ ଏହା ବାହାରେ ଥିବା ୧୪ରୁ ୨୪ ବର୍ଷ ବୟସର ଉଭୟ ପୁଅଝିଅମାନେ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିପାରିବେ । ଗତବର୍ଷ ପରି ଚଳିତ ବର୍ଷ ମଧ୍ୟ ଚୂଡ଼ାନ୍ତ ପର୍ଯ୍ୟାୟ ପ୍ରତିଯୋଗିତାରେ ଓଡ଼ିଶାର ଲବ୍ଧ ପ୍ରତିଷ୍ଠିତ ତଥା ଲୋକପ୍ରିୟ ସଙ୍ଗୀତ ନିର୍ଦ୍ଦେଶକ ଏବଂ କଣ୍ଠଶିଳ୍ପୀମାନେ ବିଚାରକ ଭାବେ ଅଂଶଗ୍ରହଣ କରିବା ସହିତ ପ୍ରତିଷ୍ଠିତ ବାଦ୍ୟଶିଳ୍ପୀ ମାନେ ବାଦ୍ୟ ଯନ୍ତ୍ରରେ ସହଯୋଗ କରିବା ପାଇଁ ବ୍ୟବସ୍ଥା କରାଯାଇଛି। ଚୂଡାନ୍ତ ପର୍ଯ୍ୟାୟ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀଙ୍କୁ ‘ନୟାଗଡ଼ ସଙ୍ଗୀତ କଲ୍ଲୋଳ’ ଉପାଧି ସହିତ ନଗଦ ୧୧ ହଜାର ଟଙ୍କା ପୁରସ୍କାର ଅର୍ଥରାଶି ଏବଂ ଦ୍ୱିତୀୟ,ତୃତୀୟ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀ ମାନଙ୍କୁ କ୍ରମାନ୍ୱୟେ ୫ ହଜାର ଏବଂ ୩ ହଜାର ଅର୍ଥରାଶି ପୁରସ୍କାର ଏବଂ ମାନପତ୍ର ପ୍ରଦାନ କରାଯିବା ସହିତ ଅତିଥି ମାନଙ୍କ ଦ୍ଵାରା ସେମାନଙ୍କୁ ସମ୍ବର୍ଦ୍ଧିତ କରାଯିବ ବୋଲି ଅନୁଷ୍ଠାନର ସଭାପତି ଡ. ବିଜୟ କୁମାର ଚୌଧୁରୀ, ସମ୍ପାଦକ ପ୍ରଶାନ୍ତ କୁମାର ଦାଶ, ମୁଖ୍ୟ ପୃଷ୍ଠପୋଷକ ପ୍ରମୋଦ ପଟ୍ଟନାୟକ ଏବଂ ସଂଯୋଜକ ଲକ୍ଷ୍ମୀଧର ସାହୁ ସୂଚନା ଦେଇଛନ୍ତି।

You might also like