-ମନେ ପଡନ୍ତି କୁମାର ସାହେବ: ଏକ ଅନନ୍ୟ ବ୍ୟକ୍ତିତ୍ବ-

ଯୁବ ପ୍ରେରଣାର ପବିତ୍ର ନିର୍ଝର ଥିଲେ ନୟାଗଡ ରାଜପରିବାରର କନିଷ୍ଠ ଯୁବରାଜ କୁମାର ହେମେନ୍ଦ୍ର ଚନ୍ଦ୍ର ସିଂ। ଯେତେବେଳେ ନୟାଗଡରେ ପାଉସେରି ଠାରୁ ପ୍ରଶାସନ; ପତାକା ଧରାଳି ଠାରୁ ନେତା ପର୍ଯ୍ୟନ୍ତ ଗଣତନ୍ତ୍ର ଶାସନ ଭୁଲି ଏକଛତ୍ରବାଦ ଆଡକୁ ମନୋନିବେଶ କରୁଥିଲେ, ଜଣେ ସ୍ୱାଧୀନଚେତା, ଦୃଢ଼ ନେତୃତ୍ୱ, ଦୃଢ଼ ସଂଗଠକ ଓ ମୁକ୍ତ ବିଚାରର ଦେବଦୂତ ହୋଇ ସେ ନିଷ୍ପେସିତ ଜନତା ହକ୍’ର ଲଢ଼େଇ ପାଇଁ ଅଟଳ ମନା ହୋଇ କାର୍ଯ୍ୟ କରିଥିଲେ। ରାଜଧର୍ମର ବିଚାରବନ୍ତ ଗୁଣ, ଦୟା, ପରୋପକାରକୁ ସେ ଗଣତନ୍ତ୍ର ଶାସନ ସମୟରେ ପ୍ରୟୋଗ କରି ଜନ ମୁଖରେ ଆଦୃତ ଥିଲେ କୁମାର ସାହେବ ନାମରେ। ଶାସନ କ୍ଷମତାରେ ନଥାଇ ମଧ୍ୟ ସେ ଅସହାୟ ମାନଙ୍କର ଆଶା ବାଡ଼ି ଥିଲେ। ସାଧାରଣ ଜନତା ତାଙ୍କୁ ସିଧା ସଳଖ ସମ୍ପର୍କ କରି, ନିଜର ଅଭାବ ଅସୁବିଧା ଜଣାଇ ପାରୁଥିଲେ। ଗରିବ ଲୋକଙ୍କ ଚିକିତ୍ସା ନିମିତ୍ତ ବଡ଼ ଡାକ୍ତର ଖାନା ଯୋଗାଇ ଦେବା, ଆରୋଗ୍ୟ ହେବା ପର୍ଯ୍ୟନ୍ତ ରୋଗୀକୁ ଆର୍ଥିକ ସହାୟତା ଯୋଗାଇ ଦେବା ଓ ଭଲ ମନ୍ଦ ପଚାରି ବୁଝିବା: କୁମାର ସାହେବଙ୍କ ମହନୀୟ ଗୁଣ ଥିଲା। ଆର୍ଥିକ ଅନାଟନରେ ପୀଡିତ ବହୁ ଲୋକଙ୍କୁ ସେ ଅର୍ଥ ପ୍ରଦାନ କରୁଥିଲେ। ଯେଉଁ ଆର୍ଥିକ ରାଶିକୁ କି ସେ’ ଫେରସ୍ତ ମଧ୍ୟ ନେଉନଥିଲେ।

। । ଉଚ୍ଚେ ଥାଇ ମଧ୍ୟ ନମ୍ର ହୋଇଥାନ୍ତି ସତତ ମହତ ଜନ,
ରବି, ଶଶୀ, ତାରା କେଡେ ଊର୍ଦ୍ଧ୍ବେସ୍ଥିତ ସମସ୍ତେ ନତ ବଦନ।।
ନମ୍ରତା ଥିଲା କୁମାର ହେମେନ୍ଦ୍ର ଚନ୍ଦ୍ର ସିଂହ ଙ୍କର ଆଭୂଷଣ। ସାଧାରଣ ଲୋକଙ୍କ ଅସୁବିଧାରେ ଠିଆ ହେବା। ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ଏବଂ ବିଭିନ୍ନ ସମୟରେ ଲୋକଙ୍କ ସୁଖ ଦୁଃଖ ପଚାରି ବୁଝୁଥିବା ଯୋଗୁଁ କୁମାର ହେମେନ୍ଦ୍ର ଚନ୍ଦ୍ର ସିଂଙ୍କୁ ନୟାଗଡର ଅଧିବାସୀ ଅତି ସହଜରେ ନିଜ ନେତା ଭାବରେ ଗ୍ରହଣ କରି ନେଇଥିଲେ।
ହେମେନ୍ଦ୍ର ଚନ୍ଦ୍ର ସିଂହଙ୍କ ଲୋକପ୍ରିୟତା ନୟାଗଡରେ ଏତେ ପରିମାଣରେ ବଢିଥିଲା ଯେ ବିରୋଧୀ ତାହା ଦେଖି ତ୍ରସ୍ତ ହୋଇ ପଡ଼ିଥିଲେ। ୨୦୦୯ ସାଧାରଣ ନିର୍ବାଚନରେ ନିଜ ଲୋକପ୍ରିୟତାକୁ କୁମାର ସାହେବ ପରୀକ୍ଷା କରିଥିଲେ। ଜଣେ ସ୍ୱାଧୀନ ପ୍ରାର୍ଥୀ ଭାବେ ସେ ୩୯,୭୫୯ ଖଣ୍ଡ ଭୋଟ ପାଇଥିଲେ। ଯାହାକି କଳ୍ପନା ଠାରୁ ଅଧିକ ଥିଲା। କମ୍ ସମୟରେ ଏତେ ଲୋକଙ୍କ ସ୍ନେହ ଭାଜନ ହୋଇପାରିବା କମ୍ ଗୌରବର କଥା ନୁହେଁ।
କୁମାର ସାହେବଙ୍କ ସାଙ୍ଗଠନିକ ଦକ୍ଷତା, କର୍ମ ତତ୍ପର ଓ ଲୋକପ୍ରିୟତାରେ ମୁଗ୍ଧ ହୋଇ ଓଡ଼ିଶାର ଆଞ୍ଚଳିକ ରାଜନୈତିକ ଦଳ “ବିଜୁ ଜନତା ଦଳ” ତରଫରୁ ତାଙ୍କୁ କନ୍ଧମାଳ ନିର୍ବାଚନ ମଣ୍ଡଳୀରେ ସଂଗଠନ ତିଆରି କରିବା ଓ ସାଂସଦ ଆସନରେ ଲଢ଼ିବା ପାଇଁ ସୁଯୋଗ ଦିଆଯାଇଥିଲା। ୨୦୧୪ ସାଧାରଣ ନିର୍ବାଚନରେ କୁମାର ହେମେନ୍ଦ୍ର ଚନ୍ଦ୍ର ସିଂହ ବିଜୁ ଜନତା ଦଳ ତରଫରୁ ବିଜୟୀ ହୋଇ ୧୬ଶ ଲୋକସଭା ସଦନରେ ନିଜ ରାଜନୈତିକ ସମୟକୁ ନିଯୋଗ କରିଥିଲେ।

ସେପ୍ଟେମ୍ବର ୫ ତାରିଖ, ୨୦୧୪ମସିହା। ସାରା ନୟାଗଡ଼ ଥିଲା ସ୍ତବ୍ଧ, ନୟାଗଡ଼ିଆଙ୍କ ଆଖିରୁ ବୋହିଚାଲୁଥିଲା ଅଶ୍ରୁ। ଛଳଛଳ ଆଖିରେ ଚାତକ ପରି ଉଣ୍ଡି ବସିଥିଲେ ନୟାଗଡ଼ର ପ୍ରିୟ ପୁତ୍ର ହେମେନ୍ଦ୍ର ଚନ୍ଦ୍ର ସିଂଙ୍କ ମରଶରୀରକୁ ଦେଖିବା ପାଇଁ। ନୟାଗଡ଼ ମାଟି ମଧ୍ୟ ସତେ କାନ୍ଦୁଥିଲା ନିଜର ଅତି ପ୍ରିୟ ସନ୍ତାନକୁ ହରେଇ। ନୟାଗଡ଼ର ଗେହ୍ଲାପୁତ୍ର, ନୟାଗଡ଼ିଆଙ୍କ କୁମାର ସାହେବ, ସାରା ଦେଶ ପାଈଁ କନ୍ଧମାଳ ସାଂସଦ ଏକ ପ୍ରତିଭାସମ୍ପନ୍ନ, ମେଳାପୀ ଓ ଦରଦୀ ବ୍ୟକ୍ତିତ୍ୱର ଅଧିକାରୀ ଆଉ ଆମ ଗହଣରେ ନଥିଲେ। ସରକାରୀ ଘୋଷଣା ଅନୁଯାୟୀ ହୃଦ୍‌ଘାତ ଓ ସେପ୍ସିସ ଯୋଗୁଁ ତାଙ୍କର ଅକାଳ ବିୟୋଗ ଘଟିଥିଲା। ସରକାରୀ ଦଳଠାରୁ ଆରମ୍ଭ କରି ବିରୋଧୀ ପର୍ଯ୍ୟନ୍ତ; ଶିଳ୍ପପତି ଠାରୁ ଆରମ୍ଭ କରି ସାଧାରଣ ଜନତା ପର୍ଯ୍ୟନ୍ତ ସମସ୍ତେ ଅଶ୍ରୁ ପ୍ଲାବିତ ନୟନରେ ଶେଷ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।
ଏହା ମଧ୍ୟରେ ଏଗାର ବର୍ଷ ବିତିଗଲାଣି। ନୟାଗଡ ମାଟିକୁ ବର୍ତ୍ତମାନ ମଧ୍ୟ ସାହସୀ, ସୁଦକ୍ଷ, ଉଦାର ଏବଂ ନୟାଗଡିୟା ବୋଲି ଗର୍ବ କରିପାରୁଥିବା ନେତୃତ୍ୱର ଆବଶ୍ୟକ ରହିଛି।
ଆଜି କୁମାର ହେମେନ୍ଦ୍ର ଚନ୍ଦ୍ର ସିଂହଙ୍କର ଏକାଦଶତମ ଶ୍ରାଦ୍ଧ ଦିବସରେ ପ୍ରତ୍ଯେକ ନୟାଗଡିଆଙ୍କ ତରଫରୁ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଅଛୁ ଏବଂ ଏହି ଅବସରରେ ହେମେନ୍ଦ୍ର ସେନା ତରଫରୁ ନୟାଗଡ଼ ପୁରୁଣା ରାଜବାଟିଠାରେ ଆୟୋଜିତ ରକ୍ତଦାନ ଶିବିରରେ ସକାଳ ୯ ଘଟିକା ସମୟରେ ଯୋଗ ଦେବାକୁ ଅନୁରୋଧ କରୁଅଛୁ।

You might also like