ନୟାଗଡ଼, ୨୨/୧୧: ମାଟ୍ରିକ ୮୪ ବ୍ୟାଚର ସହପାଠୀ ତଥା ଆଦର୍ଶ ଶିକ୍ଷକ କିଶୋର ଚନ୍ଦ୍ର ସେନାପତିଙ୍କ ଆକସ୍ମିକ ବିୟୋଗରେ ଏକ ଶୋକ ତଥା ଶ୍ରଦ୍ଧାଞ୍ଜଳି ସଭା ମୈତ୍ରୀ ଯୁବ ସଂସଦ, ନୟାଗଡ଼ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି। ସମାଜସେବୀ ତଥା ଶିକ୍ଷାବିତ୍ ପ୍ରଦୀପ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଶ୍ରଦ୍ଧାଞ୍ଜଳି ସଭାରେ ପ୍ରଥମେ ସ୍ବର୍ଗତ ଆତ୍ମାର ସଦଗତି ପାଇଁ ଏକ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା। ନୟାଗଡ଼ରେ ରହୁଥିବା ମାଟ୍ରିକ ୮୪ ବ୍ୟାଚର ସହପାଠୀ ବନ୍ଧୁ ମାନେ ଏଥିରେ ଏକତ୍ରିତ ହୋଇ ସ୍ବର୍ଗତ ସେନାପତି ଜଣେ ଶାନ୍ତ,ସରଳ,ଭଦ୍ର, ଅମାୟିକ ତଥା ଜଣେ କର୍ତ୍ତବ୍ୟ ପରାୟଣ ଆଦର୍ଶ ଶିକ୍ଷକ ଭାବେ ସମସ୍ତଙ୍କ ହୃଦୟରେ ସବୁଦିନ ପାଇଁ ମନେ ରହିବେ ବୋଲି ମତବ୍ୟକ୍ତ କରିଥିଲେ। ସେ ଘରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି ଥିବା ବେଳେ ତାଙ୍କର ଏକମାତ୍ର ପୁତ୍ର ବର୍ତ୍ତମାନ ୧୦ମ ଶ୍ରେଣୀରେ ଅଧ୍ୟୟନ କରୁଛି।
ଏହି ଅସମୟରେ ତାଙ୍କ ପରିବାରକୁ ସହାୟତା କରିବା ପାଇଁ ଉପସ୍ଥିତ ସହପାଠୀ ବନ୍ଧୁମାନେ ନିଷ୍ପତ୍ତି ନେଇଥିଲେ। ଶିକ୍ଷକ ଲକ୍ଷ୍ମୀଧର ସାହୁଙ୍କ ସଂଯୋଜନାରେ ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭାରେ ସହପାଠୀ ଡ. ମାନସ ରଞ୍ଜନ ଶତପଥୀ, ରବୀନ୍ଦ୍ର କୁମାର ବେହେରା, ସୁରେନ୍ଦ୍ର କୁମାର ଖଣ୍ଡା, ବିଜୟ କୁମାର ମହାପାତ୍ର,ସତ୍ୟନାରାୟଣ ମଲ୍ଲ, ରାଧେଶ୍ୟାମ ମିଶ୍ର, ସୁରେନ୍ଦ୍ର କୁମାର ଶତପଥୀ, ରାଜକିଶୋର ଜେନା,ପ୍ରତାପ କୁମାର ସାହୁ ପ୍ରମୁଖ ଯୋଗଦାନ କରି ସ୍ବର୍ଗତ ଆତ୍ମା ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ସୂଚନା ଯୋଗ୍ୟ ମୃତ କିଶୋର ସେନାପତି ନିଜ ବିଦ୍ୟାଳୟ ନୂଆଗାଁ ବ୍ଲକ ଅନ୍ତର୍ଗତ ଜଗନ୍ନାଥ ପ୍ରସାଦ ନୋଡାଲ ଉପ୍ରା ସ୍କୁଲକୁ ମୋଟର ସାଇକେଲ ଯୋଗେ ଯାଉଥିବା ବେଳେ ନୂଆଗାଁ ଠାରେ ବିପରୀତ ଦିଗରୁ ଆସୁଥିବା ଅନ୍ୟ ଏକ ମୋଟର ସାଇକେଲ ସହିତ ମୁହାଁମୁହିଁ ଧକ୍କା ହୋଇଥିଲା ଏବଂ ଘଟଣା ସ୍ଥଳରେ ତାଙ୍କର ପ୍ରାଣବାୟୁ ଉଡିଯାଇଥିଲା।