ରାଜବାଟୀରେ କର୍ମ ଚାରୀଙ୍କୁ ଆର୍ଥିକ, ଶାରିରୀକ ଓ ମାନସିକ ନିର୍ଯ୍ୟାତନା

ନୟାଗଡ଼ ପୁରୁଣା ରାଜବାଟୀ ବିଜେପି ନେତ୍ରୀ ପ୍ରତ୍ୟୁଷା ରାଜେଶ୍ଵରୀ ସିଂଙ୍କ ଅଧିନସ୍ଥ ଜଣେ ଦିବ୍ୟାଙ୍ଗ କର୍ମଚାରୀଙ୍କୁ ଆର୍ଥିକ, ଶାରିରୀକ ଓ ମାନସିକ ନିର୍ଯ୍ୟାତନା ଦିଆଯାଇଥିବା ଅଭିଯୋଗ ହୋଇଛି । ଦୀର୍ଘବର୍ଷ ଧରି କାର୍ଯ୍ୟ କରି ଆସୁଥିବା ଜୈନିକ କର୍ମଚାରୀଙ୍କୁ ନିର୍ଯ୍ୟାତନା ଦିଆ ଯିବା ସହ ବିତାଡ଼ିତ କରାଯାଇଛି । କର୍ମଚାରୀ ଜଣଙ୍କ ବିହାର ରାଜ୍ୟର ପଙ୍କଜ ସିଂ । ସେ ଦୀର୍ଘ ୨୫ ବର୍ଷରୁ ଉର୍ଦ୍ଧ୍ଵ ସମୟ ରାଜବାଟୀରେ ଜଗୁଆଳି ଭାବେ କାର୍ଯ୍ୟ କରି ଆସୁଥିବା କହିଛନ୍ତି । ରାଜବାଟୀ ରାଣୀ ମା ପ୍ରତ୍ୟୁଷା ରାଜେଶ୍ଵରୀ ସିଂ ଙ୍କ କିଛି ସହଯୋଗୀ ତାଙ୍କୁ ରହୁଥିବା ଘର ଖାଲି କରିଚାଲିଯିବାକୁ କହିଥିଲେ । ସେ ଘର ଖାଲି ନକରିବାରୁ ତାଙ୍କୁ ମାଡ଼ ମରା ଯିବା ସହ ନିର୍ଯ୍ୟାତନା ଦିଆଯାଇଥିବା ଅଭିଯୋଗ କରିଛନ୍ତି ।୯ ମାସର ଦରମା ବକେୟା ରଖାଯାଇଥିବା ଦିବ୍ୟାଙ୍ଗ ପଙ୍କଜ କହିଛନ୍ତି । ଯାହାକୁ ନେଇ ପଙ୍କଜ ଚିନ୍ତାରେ ପଡ଼ିବା ସହ ରାଜବାଟୀ ବସି ରହିଥିବା ଦେଖାଯାଇଛି । ପିଲା ଛୁଆଙ୍କୁ ଧରି କେଉଁ ଆଡ଼େ ଯିବେ ବୋଲି ସେ ପ୍ରଶ୍ନ କରିବା ସହ ମୋତେ ଦରମା ବାବଦ କିଚ୍ଛି ଟଙ୍କା ମିଳିଲେ ବିହାର ଚାଲିଯିବି ବୋଲି କହିଛନ୍ତି ।

ଏନେଇ ଟାଉନ ଥାନା ଅଧିକାରୀ ରଶ୍ମି ରଞ୍ଜନ ମହାପାତ୍ରଙ୍କୁ ପଚାରିବାରେ, ରାଜବାଟୀ ପରିସରରେ ଥିବା ଏକ ଘରକୁ ଦଖଲ କରି ପଙ୍କଜ ରଖିଥିବା ନେଇ ନୟାଗଡ଼ ଟାଉନଥାନାରେ ପ୍ରତ୍ଯୁଷାଙ୍କ ବ୍ୟକ୍ତି ଗତ ସହଯୋଗୀ ( ପିଏ) ଅଭିଯୋଗ କରିଥିଲେ । ସେହି ଅଭିଯୋଗ ଆଧାରରେ ପଙ୍କଜ ଙ୍କ ନାମରେ ମାମଲା ରୁଜୁ ହୋଇଛି । ଯଦି କିଛି ଦରମା ବାକି ଅଛି ତେବେ ସେ ଆଇନର ଆଶ୍ରୟ ନେଇପାରିବେ । କିନ୍ତୁ ଅନ୍ୟ କାହାର ଘରକୁ ଜବରଦଖଲ କରିବା ବେଆଇନ କାର୍ଯ୍ୟ ବୋଲି ଥାନା ଅଧିକାରୀ କହିଛନ୍ତି । ବିଜେପି ନେତ୍ରୀ ପ୍ରତ୍ୟୁଷା ରାଜେଶ୍ଵରୀ ସିଂ ଙ୍କ ଜ୍ଞାତ ସାରରେ ଏଭଳି ଘଟଣା ଘଟିଛି ନାଁ ସେ ଏ ବିଷୟରେ ଅଜ୍ଞ ସେ ସମ୍ପର୍କରେ କୌଣସି ମତାମତ ମିଳିପାରି ନାହିଁ ।

You might also like