ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ରାଜସୁନାଖଳା ପଞ୍ଚାୟତ ଠାରେ ରାଜସୁନାଖଳା ମହୋତ୍ସବ କାଉଁରୀ 2024 ପାଇଁ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି l ଏହି ବୈଠକରେ ରାଜସୁନାଖଳା ମହୋତ୍ସବ କମିଟି ସଭାପତି ତଥା ରାଜସୁନାଖଳା ଗ୍ରାମ ପଞ୍ଚାୟତର ସରପଞ୍ଚ ଚିତ୍ତରଞ୍ଜନ ପ୍ରଧାନ ଏବଂ ସମ୍ପାଦକ ଯୁବ ସାମ୍ବାଦିକ ଜୟେନ୍ଦ୍ର ବେହେରା ସାମ୍ବାଦିକ ସମ୍ମିଳନୀ ପରିଚାଳନା କରିଥିଲେ l ରାଜ୍ୟର ଏକ ପ୍ରମୁଖ ମହୋତ୍ସବ ଭାବେ ରାଜସୁନାଖଳା ମହୋତ୍ସବ ଦୀର୍ଘ ୫ ବର୍ଷ ଧରି ସଫଳତାର ସହ ଅନୁଷ୍ଠିତ ହେଇଆସୁଛି l ଚଳିତ ବର୍ଷ ଷଷ୍ଠ ବର୍ଷରେ ପଦାର୍ପଣ ପୁର୍ବରୁ ରାଜସୁନାଖଳା ମହୋତ୍ସବ କମିଟି ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଚାଲିଛି l ଚଳିତ ବର୍ଷର ମହୋତ୍ସବ କିଭଳି ଅଧିକ ଆକର୍ଷଣୀୟ ହୋଇପାରିବ ସେଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି l ବିଶେଷ କରି ଅନ୍ୟ ରାଜ୍ୟର ଲୋକକଳା ଚଳିତ ବର୍ଷର ମୁଖ୍ୟ ଆକର୍ଷଣ ସାଜିବ l ସ୍ଥାନୀୟ କଳା, ସାହିତ୍ୟ, ସଂସ୍କୃତିକୁ ଉଜ୍ଜୀବିତ ରଖିବା ପାଇଁ ଆସନ୍ତା ଡିସେମ୍ବର 8ରୁ 12 ତାରିଖ ପର୍ଯ୍ୟନ୍ତ ସିଟି ସ୍କୁଲ ପଡ଼ିଆରେ ନିଆରା ରୂପରେ ଆୟୋଜନ ପାଇଁ କମିଟି ପକ୍ଷରୁ ପ୍ରସ୍ତୁତି ଚାଲିଛି l ରାଜସୁନାଖଳା ମହୋତ୍ସବକୁ କେନ୍ଦ୍ର ଓ ରାଜ୍ୟ ସରକାର ସହାୟତା ପ୍ରଦାନ କରୁଥିବା ବେଳେ ଜିଲ୍ଲା ପ୍ରଶାସନର ସମ୍ପୂର୍ଣ୍ଣ ସହଯୋଗ ରହିଆସିଛି l ଆଞ୍ଚଳିକ,ରାଜ୍ୟ ତଥା ରାଜ୍ୟ ବାହାରୁ ପ୍ରତିଷ୍ଠିତ କଳାକାର ମାନେ କିଭଳି ରାଜସୁନାଖଳା ମଞ୍ଚରେ କଳା ପ୍ରଦର୍ଶନ କରିବେ ସେଥିପାଇଁ ସମ୍ପୂର୍ଣ୍ଣ ଭାବରେ ପ୍ରସ୍ତୁତି ଆରମ୍ଭ ହୋଇସାରିଛି l ପ୍ରତିବର୍ଷ ଭଳି ଚଳିତ ବର୍ଷ ସ୍ଥାନୀୟ ଅଞ୍ଚଳର ପ୍ରତିଭାବାନ କଳାକାରଙ୍କୁ ଚୟନ ପାଇଁ ପ୍ରତିଯୋଗିତା ଆରମ୍ଭ ହୋଇଛି l ମହୋତ୍ସବ ପୁର୍ବରୁ ସମସ୍ତ ପ୍ରତିଯୋଗିତା ସରିବା ପରେ କୃତିତ୍ୱଧାରୀଙ୍କୁ ରାଜସୁନାଖଳା ମହୋତ୍ସବ ମଞ୍ଚରେ ପୁରସ୍କୃତ କରାଯିବ ବୋଲି କମିଟି ପକ୍ଷରୁ ନିଷ୍ପତି ନିଆଯାଇଛି l
ମୀନା ବଜାର, ରାମ ଦୋଳି ସାଙ୍ଗକୁ ଅଧିକ ଷ୍ଟଲ ଲଗାଇବାକୁ ଗୁରୁତ୍ୱ ଦିଆଯାଇଛି l ସ୍ୱୟଂସହାୟକ ଗୋଷ୍ଠୀର ମହିଳା ମାନଙ୍କ ବ୍ୟବସାୟ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଉଛି l ପ୍ରତିଦିନ ମହୋତ୍ସବ ସନ୍ଧ୍ୟାରେ ପ୍ରତିଷ୍ଠିତ ରାଜନେତା, ମନ୍ତ୍ରୀ, ପ୍ରଶାସକ, ସାମ୍ବାଦିକ ଓ ସାହିତ୍ୟିକ ଆଦିଙ୍କୁ ନେଇ ସାଧାରଣ ସଭା ଅନୁଷ୍ଠିତ ହେବ l ମା’ କାଉଁରୀଙ୍କ ଠାରୁ ଏକ ମଶାଲ ଶୋଭାଯାତ୍ରା ଆସିବା ପରେ ମହୋତ୍ସବ ଆରମ୍ଭ ହେବ l ଏହି ବୈଠକରେ ମହୋତ୍ସବ କମିଟିର ଉପଦେଷ୍ଟା ବିଶ୍ୱନାଥ ବରାଡ଼,କୈଳାସ ଚନ୍ଦ୍ର ସାହୁ,ଉପସଭାପତି ପ୍ରସନ୍ନ କୁମାର ପ୍ରଧାନ, ସହ ସମ୍ପାଦକ ମନୋଜ କୁମାର ମହାପାତ୍ର ,ପରିଚାଳନା କମିଟିର ସିଲୁ କାଳସୀ,ଜିତେନ୍ଦ୍ର ମହାପାତ୍ର, ନିରଞ୍ଜନ ପ୍ରଧାନ,ମିଡ଼ିଆ ସଂଯୋଗକ ରାକେଶ ପାଢ଼ୀ ପ୍ରମୁଖ ଉପସ୍ଥିତ ଥିଲେ l