ରେଳ ଷ୍ଟେସନରେ ଜଳୁନି ଲାଇଟ, ଅସାମାଜିକଙ୍କ କାର୍ଯ୍ୟକଳାପ ବୃଦ୍ଧି

ନୟାଗଡ଼,୧୬/୧୧: ନୟାଗଡ଼ ଟାଉନ ରେଳ ଷ୍ଟେସନରେ ଲାଗିଥିବା ଷ୍ଟ୍ରିଟ ଲାଇଟ ଗୁଡ଼ିକ ମଧ୍ୟରୁ ଅଧିକାଂଶ ଜଳୁନାହିଁ। ଏହାର ସୁଯୋଗ ନେଇ ଅସାମାଜିକ ଲୋକଙ୍କ କାର୍ଯ୍ୟକଳାପ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ସୂଚନା ଯୋଗ୍ୟ ଯେ ଏକ ନମ୍ବର ପ୍ଲାଟଫର୍ମରେ ଲାଗିଥିବା ଷ୍ଟ୍ରିଟ ଲାଇଟ ଗୁଡିକ ମଧ୍ୟରୁ ଅଧିକାଂଶ ଅଚଳ ହୋଇ ପଡିଛି। ଅନ୍ଧାରର ସୁଯୋଗ ନେଇ ନିଶାଡ଼ି ମାନେ ଏଠାରେ ମଦ, ଗଞ୍ଜେଇ, ବ୍ରାଉନ ସୁଗାର କାରବାର କରୁଥିବା ବେଳେ ରାତ୍ରିରେ ଫେରୁଥିବା ଯାତ୍ରୀମାନେ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ସେହିପରି ସେହିପରି ଏକ ନମ୍ବର ପ୍ଲାଟଫର୍ମ ମଧ୍ୟକୁ ଆସିଥିବା ଲୁପ ଲାଇନ ଏବଂ ମେନ ଲାଇନ ଚେଞ୍ଜ ଓଭର ସ୍ଥାନରେ ଅନ୍ଧାରର ସୁଯୋଗ ନେଇ ଅସାମାଜିକ ବ୍ୟକ୍ତି ମାନେ ପଥର ରଖି ଦେଉଥିବାରୁ ରେଳ ସିଗନାଲ ଅଧିକାଂଶ ସମୟରେ ଅଚଳ ହୋଇ ଯାଉଥିବା ଷ୍ଟେସନ ମ୍ୟାନେଜର ପ୍ରକାଶ କରିଛନ୍ତି।

ଏପରି କି ଏହା ଦ୍ୱାରା ଦୁର୍ଘଟଣା ସମ୍ଭାବନାକୁ ମଧ୍ୟ ଏଡ଼ାଇ ହେବ ନାହିଁ ବୋଲି ଜଣା ପଡିଛି। ଅନ୍ୟ ପକ୍ଷରେ ୨ନଂ ଏବଂ ୩ନଂ ପ୍ଲାଟଫର୍ମ କାର୍ଯ୍ୟ ସମ୍ପୂର୍ଣ ହୋଇ ସାରିଥିବା ବେଳେ ଏହା ପାର୍ଶ୍ୱରେ ଥିବା ବିଦ୍ୟୁତ ଖୁଣ୍ଟ ଗୁଡ଼ିକରେ ଲାଇଟ ଲାଗି ନାହିଁ। ଫଳରେ ଷ୍ଟେସନର ଅପର ପାର୍ଶ୍ଵ ସମ୍ପୂର୍ଣ ଅନ୍ଧକାର ମଧ୍ୟରେ ରହୁଛି। ତେଣୁ ଏହି ପାର୍ଶ୍ଵ ଦେଇ ଯାଉଥିବା ଯାତ୍ରୀମାନେ ନିଜକୁ ସୁରକ୍ଷିତ ମଣୁ ନାହାନ୍ତି। ଏନେଇ ରେଳ ଷ୍ଟେସନ ପକ୍ଷରୁ ବିଦ୍ୟୁତ ରକ୍ଷଣା ବେକ୍ଷଣ ଦାୟିତ୍ୱରେ ଥିବା ସଂସ୍ଥାକୁ ବାରମ୍ବାର ଅବଗତ କରା ଯାଉଥିଲେ ମଧ୍ୟ ସେ ଏଥିପ୍ରତି ଗୁରୁତ୍ୱ ଦେଉ ନଥିବା ଷ୍ଟେସନ ମ୍ୟାନେଜର ଶ୍ରୀଯୁକ୍ତ ପ୍ରଧାନ କହିଛନ୍ତି। ଅନ୍ଧାରର ସୁଯୋଗ ନେଇ ନିଶାଡ଼ି ମାନେ ବ୍ୟାପକ ନିଶା କାରବାର କରୁଥିବା ବେଳେ ବିଦ୍ୟୁତ ତାର କାଟି ନେଉଥିବା ଅଭିଯୋଗ ହେଉଛି। ତେଣୁ ତୁରନ୍ତ ବିଦ୍ୟୁତ ସମସ୍ୟାର ସମାଧାନ କରିବା ସହିତ ୨ନଂ ଏବଂ ୩ନଂ ପ୍ଲାଟଫର୍ମ ଗୁଡିକ ଅବିଳମ୍ବେ କାର୍ଯ୍ୟକ୍ଷମ କରିବା ପାଇଁ ନୟାଗଡ଼ ନାଗରିକ ମଞ୍ଚ ପକ୍ଷରୁ ଦାବି କରାଯାଇଛି।

You might also like