ନୟାଗଡ଼ ଜିଲ୍ଲା ଲେଖକ ପରିଷଦ ଆନୁକୂଲ୍ୟରେ ଶ୍ରାବଣର ସ୍ୱର ସାହିତ୍ୟ ଆଲୋଚନା ଓ କବିତା ଆସର ଅନୁଷ୍ଠିତ ହୋଇଯାଇଛି l ଜିଲ୍ଲା ଲେଖକ ପରିଷଦର ସଭାପତି ପ୍ରଧାନୀ ବୃନ୍ଦାବନ ମହାପାତ୍ରଙ୍କ ପୌରହିତ୍ୟରେ ଆୟୋଜିତ ସାରସ୍ବତ ସଭାରେ ସତୁରୀରୁ ଉର୍ଦ୍ଧ୍ବ କବି କବୟିତ୍ରୀ ଯୋଗଦେଇ ସ୍ଵରଚିତ କବିତା ଓ ଗଳ୍ପ ପଠନ କରି ଅତିଥି ମାନଙ୍କ ଠାରୁ ପ୍ରସଂଶାପତ୍ର ଗ୍ରହଣ କରିଥିଲେ l ଆଜିର ସାରସ୍ବତ ଉତ୍ସବରେ ନୟାଗଡର ବିଧାୟକ ଡ. ଅରୁଣ କୁମାର ସାହୁ ଓ ବିଶିଷ୍ଟ ଶିକ୍ଷାବିତ୍, କବି ତଥା ମେହେର ସାହିତ୍ୟର ଧୂରିଣ ବକ୍ତା ଓ ଗବେଷକ ଜନାବ୍ ଜହିରୁଦିନ ଖାଁ ଅତିଥି ଭାବରେ ଯୋଗଦେଇଥିଲେ l କବି, ଲେଖକ ହେଉଛନ୍ତି ସମାଜର ଦର୍ପଣ l ସମାଜର ବାସ୍ତବ ଚିତ୍ରକୁ କବି ଲେଖନୀରେ ଉଜାଗର କରୁଥିବା ବେଳେ ଚିତ୍ରକର କାନଭାସରେ ତାକୁ ଉତାରିଥାଏ ବୋଲି ବିଧାୟକ ଡ. ଅରୁଣ କୁମାର୍ ସାହୁ ନିଜ ବକ୍ତବ୍ୟରେ କହିଥିଲେ l
ଅନ୍ୟତମ ଅତିଥି ଜହିରୁଦିନ ଖାଁ ରାମାୟଣ ଓ ମହାଭାରତର ଅନେକ ଉପାଦେୟ କଥା କହିବା ସହିତ ଗଙ୍ଗାଧର ମେହେରଙ୍କ ଜୀବନୀ ତଥା ସୃଷ୍ଟି ଉପରେ ଆଲୋକପାତ କରିଥିଲେ l ପ୍ରାରମ୍ଭରେ ଜିଲ୍ଲା ଲେଖକ ପରିଷଦର ସମ୍ପାଦକ ଶେଖ୍ ଅବଦୁଲ୍ ଖାଲିକ୍ ସ୍ବାଗତ ଭାଷଣ ଦେଇଥିବା ବେଳେ କବୟିତ୍ରୀ ସ୍ମିତା ସ୍ୱାଇଁ, ନିଳୀମା ନନ୍ଦ ଓ କବି ଗୋପୀନାଥ ସେଠୀ କବିତାପାଠକୁ ସଂଯୋଜନା କରିଥିଲେ l ପରିଶେଷରେ ପରିଷଦର ଉପସଭାନେତ୍ରୀ କବୟିତ୍ରୀ ଡ. ସୁକାନ୍ତି ମହାନ୍ତି ଧନ୍ୟବାଦ୍ ଅର୍ପଣ କରିଥିଲେ lଇତ୍ୟବସରରେ ସାହିତ୍ୱିକ ଡ. ଲଳିତ ମୋହନ ମିଶ୍ରଙ୍କ ଗଳ୍ପ ସଂକଳନ “ଚେତନାର ଚଉହଦି” ଓ ଡ. ସୁରେଶ ଚନ୍ଦ୍ର ବରାଡଙ୍କ କବିତା ସଂକଳନ “ବର୍ଷା” କୁ ଅତିଥି ମାନଙ୍କ କରକମଳରେ ଉନ୍ମୋଚନ ହୋଇଥିଲା l