ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର,ନୟାଗଡରେ ଶିଶୁ ଦିବସ ପାଳିତ।

“ପିଲାମାନେ ଦୁଷ୍ଟ ହୁଅ କିନ୍ତୁ ନଷ୍ଟ ହୁଅ ନାହିଁ”- ବିଧାୟକ ଡକ୍ଟର ଅରୁଣ କୁମାର ସାହୁ।

ନୟାଗଡ଼- ସ୍ଥାନୀୟ ହାଉସିଂ ବୋର୍ଡ ନିକଟ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ପରିସରରେ ଶିଶୁ ଦିବସ ପାଳିତ ହୋଇ ଯାଇଛି। ବିଦ୍ଯାଳୟର ପ୍ରତିଷ୍ଠାତା ସଂପାଦକ ସମାଜସେବୀ ଶ୍ରୀଧର ସାହୁଙ୍କ ଅଧ୍ଯକ୍ଷତାରେ ଆୟୋଜିତ ଏହି ଭବ୍ୟ କାର୍ଯ୍ୟକ୍ରମରେ ମୁଖ୍ଯ ଅତିଥି ଭାବେ ମାନ୍ଯବର ନୟାଗଡ଼ ବିଧାୟକ ଡକ୍ଟର ଅରୁଣ କୁମାର ସାହୁ ଯୋଗଦେଇ ଦୀର୍ଘ ୩୦ ମିନିଟ୍ ସମୟ ଧରି ଶିଶୁ ମାନଙ୍କ ସହିତ ପ୍ରଶ୍ନ ଉତ୍ତର ମାଧ୍ୟମରେ ଆଳାପ କରିଥିଲେ। ଶିଶୁ ଦିବସ ଅବସରରେ ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ଯ ଶିଶୁ ମାନଙ୍କ ମଧ୍ଯରେ କୌତୁକିଆ ପୋଷାକ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା।ବିଭିନ୍ନ ପ୍ରକାର ବେଶ ହୋଇଥିବା ଶିଶୁ ମାନଙ୍କୁ ସେହି ବେଶ ହେବାର ଅଭିପ୍ରାୟ ଓ ଲକ୍ଷ୍ଯ ବିଷୟରେ ପ୍ରଶ୍ନ କରି ଶିଶୁ ମାନଙ୍କୁ ଶିକ୍ଷଣୀୟ ଉପଦେଶ ଦେଇଥିଲେ। ଏହି ପରିପ୍ରେକ୍ଷୀରେ ଶିଶୁ ମାନଙ୍କୁ କହିଥିଲେ ଯେ, ତୁମେମାନେ ଦୁଷ୍ଟ ହୁଅ କୌଣସି ଆପତ୍ତି ନାହିଁ କିନ୍ତୁ ନଷ୍ଟ ହୁଅ ନାହିଁ।

ଶିଶୁ ମାନେ ଦୁଷ୍ଟ ହେଲେ ସେମାନଙ୍କ ଭିତରେ ସ୍ରୁଜନାତ୍ମକ ଚିନ୍ତନ ଉଦ୍ରେକ ହୋଇଥାଏ ବୋଲି ଉପସ୍ଥିତ ପିତାମାତାଙ୍କୁ ପରାମର୍ଶ ଦେଇଥିଲେ। ଶିଶୁ ମାନଙ୍କୁ ଭୟଭୀତ ନକରି ସେମାନଙ୍କ ସହିତ ବନ୍ଧୁ ହୋଇ ଶିକ୍ଷା ଦାନ କରିବା ପାଇଁ ବିଦ୍ଯାଳୟର ସେବାବ୍ରତୀ ଆଚାର୍ଯ୍ୟ ଆଚାର୍ଯ୍ୟା ମାନଙ୍କୁ ଅନୁରୋଧ କରିଥିଲେ। କିଛି ସମୟ ଶିଶୁ ମାନଙ୍କ ସହିତ ବାର୍ତ୍ତାଳାପ କରି ଶିଶୁ ମାନଙ୍କର ବନ୍ଧୁ ପାଲିଟି ଯାଇଥିବା ବିଧାୟକ ଶ୍ରୀଯୁକ୍ତ ସାହୁ ପୁଣି ଥରେ ବିଦ୍ଯାଳୟକୁ ଆସି ଶ୍ରେଣୀ ଗୃହ ରେ ଶିକ୍ଷା ଦାନ କରିବା ପାଇଁ ଶିଶୁ ମାନଙ୍କୁ କଥା ଦେଇଥିଲେ। ବିଦ୍ଯାଳୟ ସଂପାଦକ ଶ୍ରୀଯୁକ୍ତ ସାହୁ ବିଧାୟକଙ୍କ ସନ୍ଦେଶକୁ ଦୋହରାଇ ସ୍ବାମୀ ବିବେକାନନ୍ଦ ପିଲାବେଳେ କିଭଳି ଦୁଷ୍ଟ ଥିଲେ ଆଉ ବଡହେଲା ପରେ ବିଶ୍ବ ବିଜୟୀ ବିବେକାନନ୍ଦରେ ପରିଣତ ହୋଇଥିଲେ, ସେ ବିଷୟରେ ବକ୍ତବ୍ଯ ରଖିଥିଲେ। ଶିଶୁସଭା ଅନ୍ତେ କୌତୁକିଆ ପୋଷାକ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଡାକ୍ତର, ପାଗଳ, ଚୁଡିବାଲି, ଫୁଲବାଲି, ଚକୋଲେଟ୍ ବାବା ଆଦି ଅନେକ ବେଶଭୂଷା ହୋଇ ଥିବା ଶିଶୁ ମାନେ ନିଜ ନିଜର ଅଭିନୟ ପରିବେଷଣ କରିଥିଲେ।ଅର୍ଚ୍ଚନା ଗୁରୁମା, ପବିତ୍ର ଗୁରୁଜୀ ଓ ରଂଜନ ଗୁରୁଜୀ ବିଚାରକ ଦାୟିତ୍ୱ ତୁଲାଇଥିବା ବେଳେ ସମସ୍ତ ଗୁରୁଜୀ ଗୁରୁମା ମାନେ ସହଯୋଗ କରିଥିଲେ।।

You might also like