ନୟାଗଡ଼ ହାଉସିଂ ବୋର୍ଡ ନିକଟ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ପରିସରରେ ସ୍ବାମୀ ବିବେକାନନ୍ଦଙ୍କ ୧୬୨ ତମ ଜୟନ୍ତୀ ବିଦ୍ଯାଳୟର ପ୍ରତିଷ୍ଠାତା ସଂପାଦକ ଶ୍ରୀଧର ସାହୁଙ୍କ ନେତୃତ୍ବରେ ମହାସମାରୋହରେ ପାଳିତ ହୋଇ ଯାଇଛି। ସକାଳ ୦୯ଟା ସମୟରେ ଖଣ୍ଡପଡାରୋଡସ୍ଥ ହନୁମାନ ମନ୍ଦିର ଠାରୁ ଆୟୋଜିତ ବିଶାଳ ଶୋଭାଯାତ୍ରାକୁ ନୟାଗଡ଼ ଜିଲ୍ଲା ପରିଷଦ ଅଧ୍ଯକ୍ଷ ଇଂ ଦେବାଶିଷ ପଟ୍ଟନାୟକ ପତାକା ଦେଖାଇ ଉଦଘାଟନ କରିଥିଲେ। ଶୋଭାଯାତ୍ରା ହନୁମାନ ମନ୍ଦିର ଠାରୁ ଶ୍ରୀଜଗନ୍ନାଥ ମନ୍ଦିର ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇ ଥିଲା ବେଳେ ଉକ୍ତ ଶୋଭାଯାତ୍ରାରେ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର, ସ୍ବାମୀ ବିବେକାନନ୍ଦ ଲୋକ ସଂସଦ ନୟାଗଡ଼ ଜିଲ୍ଲା ଶାଖା,ଭାରତ ବିକାଶ ପରିଷଦ,ପୂଜ୍ଯପୂଜା କମିଟି,ରୋଟାରୀ କ୍ଲବ,ସିଭିଲ୍ ସୋସାଇଟି ଆଦି ଅନେକ ସାମାଜିକ ଅନୁଷ୍ଠାନ ଯୋଗଦେଇଥିଲେ।
ସକାଳ ୧୦ଟାରେ ହାଉସିଂ ବୋର୍ଡ ନିକଟ ବିଦ୍ଯାଳୟ ର ନୂତନ ଭବନ ପରିସରରେ ଆୟୋଜିତ ରକ୍ତ ଦାନ ଶିବିର ଓ ସ୍ବାସ୍ଥ୍ଯ ପରାମର୍ଶ ଶିବିରକୁ ନୟାଗଡ଼ ପୌରପରିଷଦ ଅଧ୍ଯକ୍ଷା ନିରୁପମା ଖଟେଇ ରିବନ କାଟି ଉଦଘାଟନ କରିଥିଲେ। ଅପରାହ୍ନ ୧ଟାରେ ବିଦ୍ଯାଳୟର ଉପଦେଷ୍ଟା ବିଦ୍ଯାଧର ଆଚାର୍ଯ୍ୟଙ୍କ ପୌରହିତ୍ଯରେ ଅନୁଷ୍ଠିତ ଧର୍ମ ଆଲୋଚନା ସଭାରେ ମୁଖ୍ଯ ଅତିଥି ଭାବେ ନୟାଗଡ଼ ଜିଲ୍ଲା ପରିଷଦ ଅଧ୍ଯକ୍ଷ ଇଂ ଦେବାଶିଷ ପଟ୍ଟନାୟକ ଯୋଗଦେଇ ସ୍ବାମୀ ବିବେକାନନ୍ଦ ଥିଲେ ଭାରତବର୍ଷର ପ୍ରାଣ ଏବଂ ତାଙ୍କ ଆଦର୍ଶ ଜୀବନୀ ସମସ୍ତ ଯୁବ ସମାଜ ପାଇଁ ପ୍ରେରଣାର ଉତ୍ସ ବୋଲି ବକ୍ତବ୍ଯ ରଖିଥିଲେ।
ରକ୍ତଦାନ ସହିତ ସ୍ବାସ୍ଥ୍ଯ ପରାମର୍ଶ ଶିବିର ଭଳି ମହତ କାର୍ଯ୍ଯକୁ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ହାତକୁ ନେଇଥିବାରୁ ମୁଖ୍ଯ ଅତିଥି ଅନୁଷ୍ଠାନକୁ ଧନ୍ଯବାଦ ପ୍ରଦାନ କରିଥିଲେ। ସମ୍ମାନିତ ଅତିଥି ଭାବେ ପୌରପରିଷଦ ପୌରଧ୍ଯକ୍ଷା ନିରୁପମା ଖଟେଇ, ଓଡ଼ିଶା ଶ୍ରୀରାମକୃଷ୍ଣ ବିବେକାନନ୍ଦ ଭାବ ପ୍ରଚାର ପରିଷଦର ରାଜ୍ଯ ଆବାହକ ସର୍ବେଶ୍ୱର ସାହୁ,ସମାଜସେବୀ ଅନାଦି ଚରଣ ମହାନ୍ତି ଓ ସମାଜସେବୀ ଦାମୋଦର ସାହୁ ମଞ୍ଚାସୀନ ହୋଇ ସ୍ବାମୀ ବିବେକାନନ୍ଦଙ୍କ ଆଦର୍ଶ ଜୀବନୀ ଗାଥାକୁ ଆଲୋଚନା କରିଥିଲେ। ଆୟୋଜିତ ରକ୍ତଦାନ ଶିବିରରେ ମୋଟ ୧୮ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିଲା ବେଳେ ସ୍ବାସ୍ଥ୍ଯ ପରାମର୍ଶ ଶିବିରରେ ୧୫୨ ଜଣ ରୋଗୀ ଚିକିତ୍ସା ପରାମର୍ଶ ପାଇଥିଲେ।
ବିଦ୍ଯାଳୟ ତରଫରୁ ଆୟୋଜିତ କ୍ରୀଡା ଓ କୌତୁକ ପୋଷାକ ପ୍ରତିଯୋଗିତାର କୃତି ପ୍ରତିଯୋଗୀ ମାନଙ୍କୁ ଉକ୍ତ ଧର୍ମସଭାରେ ପୁରସ୍କାର ପ୍ରଦାନ କରାଯିବା ସହିତ ଟିକାତାଳ ଶ୍ରୀରାମକୃଷ୍ଣ ସେବାଶ୍ରମ ର ସହ ସଂପାଦକ ତଥା ବିବେକାନନ୍ଦ ଭାବ ପ୍ରଚାର ପରିଷଦର ରାଜ୍ଯ ଆବାହକ ଅଧ୍ଯାପକ ସର୍ବେଶ୍ୱର ସାହୁ ଓ ସମାଜସେବୀ ଉମାକାନ୍ତ ମହାପାତ୍ରଙ୍କୁ ସମ୍ବର୍ଦ୍ଧନା ପତ୍ର ପ୍ରଦାନ କରାଯାଇ ଥିଲା।କେୟାର ହସ୍ପିଟାଲ ଭୁବନେଶ୍ୱର ଆନୁକୂଲ୍ୟରେ ଆୟୋଜିତ ସ୍ବାସ୍ଥ୍ଯ ପରାମର୍ଶ ଶିବିରରେ ଯୋଗଦେଇ ଥିବା ମଧୁମେହ ରୋଗ ବିଶେଷଜ୍ଞ ଡାକ୍ତର ରାଜେଶ ପାଢୀ,ହ୍ରୁଦରୋଗ ବିଶେଷଜ୍ଞ ଡାକ୍ତର ଦୀପକ କୁମାର ବେହେରା,ଅସ୍ଥିଶଲ୍ଯ ବିଶେଷଜ୍ଞ ଡାକ୍ତର ତପସ୍ବିନୀ ସାହୁ,ସ୍ନାୟୁରୋଗ ବିଶେଷଜ୍ଞ ଡାକ୍ତର ଆତ୍ମ ରଂଜନ ଦାସଙ୍କୁ ମୁଖ୍ଯ ଅତିଥି ସମ୍ବର୍ଦ୍ଧିତ କରିଥିଲେ।
ଏହି କାର୍ଯ୍ୟକ୍ରମରେ ବିଦ୍ଯାଳୟର ଗୁରୁଜୀ ଗୁରୁମା, ଅଭିଭାବକ ଓ ଶୁଭେଛୁ ଭଦ୍ରବ୍ଯକ୍ତି ମାନେ ରକ୍ତ ଦାନ କରିବା ସହିତ ବିଭିନ୍ନ ସାମାଜିକ ଅନୁଷ୍ଠାନ ର କାର୍ଯ୍ଯକର୍ତ୍ତା ମାନେ ଯୋଗ ଦେଇ ଥିଲେ । ବିଦ୍ଯାଳୟର ସମସ୍ତ ଗୁରୁଜୀ ଗୁରୁମା କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲା ବେଳେ ନୟାଗଡ଼ ବ୍ଳଡ୍ ବ୍ଯାଙ୍କର କର୍ମଚାରୀମାନେ ରକ୍ତ ଦାନ ଶିବିରକୁ ସଂଚାଳନ କରିଥିଲେ। ବିବେକାନନ୍ଦ ଜୟନ୍ତୀ ପାଳନ ଉପଲକ୍ଷେ ଆୟୋଜିତ ଧର୍ମ ସଭା କୁ ବିଦ୍ଯାଳୟର ରଂଜନ ଗୁରୁଜୀ ସଂଯୋଜନା କରିଥିଲା ବେଳେ ଅର୍ଚ୍ଚନା ଗୁରୁମା ଶାନ୍ତିପାଠ କରିଥିଲେ। ପରିଶେଷରେ ବିଦ୍ଯାଳୟର ପ୍ରଧାନ ଆଚାର୍ଯ୍ୟା ପ୍ରିୟମ୍ବଦା ଗୁରୁମା ଧନ୍ଯବାଦ ଅର୍ପଣ କରିଥିଲେ।।