ନୟାଗଡ଼ : ନୟାଗଡ଼ ଜିଲ୍ଲାରେ ମୃତ୍ତିକା ସଂରକ୍ଷଣ ଓ ଜଳ ବିଭାଜିକା ଦ୍ୱାରା ସଦରବ୍ଲକ ଘଡ଼ୁଆଳ ପଞ୍ଚାୟତ ବ୍ରଜବଲ୍ଲଭପୁର ଗାଁରେ ଜଳ ବିଭାଜିକା ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ ଯୋଗ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ, ବ୍ଲକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁ, ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ କାଳୀଚରଣ ବେହେରା ଉପସ୍ଥିତ ରହିଥିଲେ । ମୁଖ୍ୟ ଅତିଥି ତାଙ୍କ ବକ୍ତବ୍ୟରେ ଜଳ ବିଭାଜିକା ମାଧ୍ୟମରେ କ୍ଷେତ ପୋଖରୀ ଖନନ ଦ୍ୱାରା ଭୂତଳ ଜଳସ୍ତର ବୃଦ୍ଧି ପାଉଥିବା କହିଥିଲେ ।

ତତସହିତ ଚାଷୀମାନଙ୍କ ଆୟ ସମନ୍ୱିତ କୃଷି ପ୍ରଣାଳୀ ମାଧ୍ୟମରେ ବହୁ ଗୁଣିତ ହେଉଥିବା କହିଥିଲେ । ଜୈବିକ ପଦ୍ଧତୀରେ ଫସଲ କରି ଆମେ ଖାଇବାକୁ ଗୁରୁତ୍ୱ ଦେଇଥିଲେ । ସମ୍ମାନିତ ଅତିଥି ଶ୍ରୀଯୁକ୍ତ ପଟ୍ଟନାୟକ ତାଙ୍କ ବକ୍ତବ୍ୟରେ ଜଳ ବିଭାଜିକା ଏକ ଚାଷ କ୍ଷେତ୍ରରେ ଆନ୍ଦୋଳନରେ ପରିଣତ ହୋଇଥିବା କହିଥିଲେ । ଚାଷୀଙ୍କୁ ସ୍ୱାବଲମ୍ବୀ କରିବାକୁ ସେ ଗୁରୁତ୍ୱ ଦେଇଥିଲେ । ଏହି ଅବସରରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅନୁଷ୍ଠିତ ପ୍ରତିଯୋଗୀତାରେ କୃତ୍ତିତ୍ୱ ଅର୍ଜ୍ଜନ କରିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ସେହିଭଳି ଭାବେ ବିଭିନ୍ନ ସ୍ଥାନରେ ରହିଥିବା ଅଣୁ ଜଳବିଭାଜିକା କାର୍ଯ୍ୟକର୍ତ୍ତାଙ୍କୁ ଅତିଥିଙ୍କ ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଥିଲା । କାର୍ଯ୍ୟକ୍ରମ ସ୍ଥାନରେ ବୃକ୍ଷରୋପଣ କରାଯାଇଥିଲା । ସେହିଭଳି ଭାବେ ନାଟୁଗାଁଠାରେ ମଧ୍ୟ ଜଳ ବିଭାଜିକା ଯାତ୍ରା ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ସଦସ୍ୟ ସୁବାଷ ଚନ୍ଦ୍ର କହଁର, ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ସୈାମ୍ୟ ରଞ୍ଜନ ଶତପଥି ଉପସ୍ଥିତ ରହିଥିଲେ । ଉଭୟ କାର୍ଯ୍ୟକ୍ରମରେ ଶତାଧିକ ଚାଷୀ ଯୋଗ ଦେଇ କାର୍ଯ୍ୟକ୍ରମକୁ ଉତ୍ସାହିତ କରିଥିଲେ ।