ସରକାରକୁ ଶହେ ଦିନ ପୂରିଲା : କେବେ ଚାଲିବ ଚିନିକଳ, ସାଂସଦଙ୍କ ପ୍ରତିଶ୍ରୁତି ପାଣିର ଗାର

ପୁଣି କାର୍ଯ୍ୟକ୍ଷମ ହେବ ନୟାଗଡ଼ ଚିନିକଳ। କ୍ଷମତାକୁ ଆସିବାର ୧୦୦ ଦିନ ମଧ୍ୟ‌‌ରେ ଏହାର ପ୍ରସ୍ତୁତି ଶେଷ ହେବ। ନିର୍ବାଚନ ପୂର୍ବରୁ ନୟାଗଡ଼ବାସୀଙ୍କୁ ଏମିତି ସୁନେଲି ସ୍ବପ୍ନ ଦେଖାଇଥିଲେ ବର୍ତ୍ତମାନର ପୁରୀ ସାଂସଦ ସମ୍ବିତ ପାତ୍ର। କିନ୍ତୁ ନିର୍ବାଚନ ସରି କ୍ଷମତାକୁ ଆସିବାର ୧୦୦ ଦିନ ବିତିଯାଇଥିଲେ ହେଁ ‘ଚିନିକଳ’ର କୌଣସି ସୋରଶବ୍ଦ ନାହିଁ। ତେଣୁ ସାଂସଦଙ୍କ ପ୍ରତିଶ୍ରୁତି କୁଆଡ଼େ ଗଲା ବୋଲି ନୟାଗଡ଼ ଜିଲ୍ଲା କଣ୍ଟାବଣିଆ ଗ୍ରାମ ଆଖୁ ଚାଷୀମାନେ ପ୍ରଶ୍ନ ଉଠାଇଛନ୍ତି। ଚିନିକଳ ଚାଲିବାକୁ ନେଇ ଅନେକ ସନ୍ଦେହ ରହିଥିବା ବେଳେ ସାଂସଦଙ୍କ ପ୍ରତିଶ୍ରୁତି ପାଣିର ଗାର ବୋଲି ସାଧାରଣରେ କୁହାଯାଉଛି।

ନୟାଗଡ଼ ଜିଲ୍ଲା ପାଣିପୋଇଲାଠାରେ ଅବସ୍ଥିତ ଚିନିଶିଳ୍ପ ୨୦୧୫ ମସିହାରୁ ତାଲା ଝୁଲୁଛି। ଏହାର ୯୦ ପ୍ରତିଶତ ଯନ୍ତ୍ରାଂଶ ଚୋରି ହୋଇସାରିଛି। ଖାଲି ସେତିକି ନୁହେଁ, ଚିନିଶିଳ୍ପକୁ ନେଇ କୋର୍ଟରେ ଅନେକ ମାମଲା ଚାଲିଛି। ଏହାକୁ କିଣିଥିବା ମାଲିକ ତ୍ରୈଲୋକ୍ୟ ମିଶ୍ର ସରକାରଙ୍କ ନାଁରେ ୧୫ଶହ କୋଟିରୁ ଊର୍ଦ୍ଧ୍ବ ଟଙ୍କାର ମାମଲା କରିଥିବା ବେଳେ ଶ୍ରମିକ ଓ କର୍ମଚାରୀଙ୍କ ପକ୍ଷରୁ ବକେୟା ଦରମାକୁ ନେଇ ମାମଲା ରହିଛି। ସମବାୟ ଦ୍ୱାରା ପ୍ରତିଷ୍ଠା ହୋଇଥିବା ଚିନିଶିଳ୍ପ ନାଁରେ ୟୁକୋ ବ୍ୟାଙ୍କରୁ ଅନେକ ଟଙ୍କାର ଋଣ ରହିଛି। ଏଭଳି ସ୍ଥିତିରେ କିଛି ଦିନ ତଳେ ଚିନିଶିଳ୍ପ ମାଲିକ ତ୍ରୈଲୋକ୍ୟ ମିଶ୍ର, ନୟାଗଡ଼଼ ସୁଗାର କମ୍ପ୍ଲେକ୍ସ ଲିମିଟେଡ୍‌ର ପରିଚାଳନା ନିର୍ଦ୍ଦେଶକ (ଏମ୍‌.ଡି) ପ୍ରମୁଖ ସାଂସଦଙ୍କୁ ସାକ୍ଷାତ କରିଥିଲେ। ଏହାକୁ ନେଇ ଲୋକଙ୍କ ମନରେ କିଛି ଆଶା ସଞ୍ଚାର ହୋଇଥିଲା। ଏହାର କିଛି ଦିନ ପରେ ଜିଲ୍ଲାପାଳ ବିଭିନ୍ନ ବିଭାଗ ଅଧିକାରୀଙ୍କୁ ଡାକି ଚିନିଶିଳ୍ପ ଉପରେ ଏକ ସମୀକ୍ଷା ବୈଠକ ମଧ୍ୟ କରିଥିଲେ। ଏହି ସମୀକ୍ଷା ବୈଠକରେ ବିଭିନ୍ନ ଅଧିକାରୀ ଉପସ୍ଥିତ ରହିଥିବା ବେଳେ ସମବାୟ ବିଭାଗ ପକ୍ଷରୁ ଚିନିଶିଳ୍ପ ଦାୟିତ୍ୱରେ ରହିଥିବା ଏମ.ଡି ସବୀର ପଣ୍ଡା ଅନୁପସ୍ଥିତ ରହିଥିଲେ। ସବୀର ପଣ୍ଡାଙ୍କ ଦାୟିତ୍ୱରେ ଚିନିଶିଳ୍ପର ସମସ୍ତ କାଗଜପତ୍ର ଏବଂ କୋର୍ଟରେ ଚାଲିଥିବା ମାମଲାର ତଥ୍ୟ ରହିଥିବା ବେଳେ ତାଙ୍କ ଅନୁପସ୍ଥିତି ପାଇଁ ଅନ୍ୟ ଏକ ସମୀକ୍ଷା ବୈଠକ କରାଯିବ ବୋଲି ଆଲୋଚନା ହୋଇଥିଲା। ଏହା ମଧ୍ୟରେ ଗୋଟିଏ ସପ୍ତାହରୁ ଊର୍ଦ୍ଧ୍ବ ସମୟ ଅତିବାହିତ ହୋଇଥିବା ବେଳେ ପରବର୍ତ୍ତୀ ବୈଠକ ହୋଇପାରିନାହିଁ ଏନେଇ ନୟାଗଡ଼ର କିଛି ବୁଦ୍ଧିଜୀବୀଙ୍କ କହିବା କଥା ହେଲା, ଚିନିଶିଳ୍ପ ଅବସ୍ଥା, କୋର୍ଟ ମାମଲାକୁ ଲକ୍ଷ୍ୟ କଲେ, ତାହା ପୁନଃ କାର୍ଯ୍ୟକ୍ଷମ ହେବାର ସମ୍ଭାବନା ଦେଖାଯାଉନାହିଁ। ତେବେ ନୟାଗଡ଼ବାସୀଙ୍କୁ ଦେଇଥିବା ପ୍ରତିଶ୍ରୁତି ସାଂସଦ କେମିତି ରଖିବେ, ତାହା ଦେଖିବା ବାକି ରହିଲା।

ପ୍ରକାଶଯୋଗ୍ୟ, ୨୦୧୩-୧୪ ଆର୍ଥିକ ବର୍ଷରେ ଆଖୁଚାଷୀ ଏବଂ ପରିବହନ ବାବଦରେ ୭ କୋଟି ଟଙ୍କା ବାକି ରହିଛି। ୨୦୧୫ ମସିହାରୁ ଚିନିଶିଳ୍ପରେ ତାଲା ଝୁଲୁଛି। ଶେଷ ସମୟରେ ଚିନି କାରଖାନାରେ କାମ କରୁଥିବା ୨୩୧ ଜଣ କର୍ମଚାରୀଙ୍କ ମଧ୍ୟରୁ ଅନେକ ବେକାର ହୋଇ ବସିଥିବା ବେଳେ କେତେକ ଚାଷବାସ କରି ଗୁଜୁରାଣ ମେଣ୍ଟାଉଛନ୍ତି। ଉପର ପାହ୍ୟାର ଅନେକ କର୍ମଚାରୀ ରାଜ୍ୟ ବାହାର ଚିନିଶିଳ୍ପରେ ଅଧିକ ବେତନରେ ନିଯୁକ୍ତି ପାଇଥିବା ବେଳେ ଚିନିକଳ ନିକଟବର୍ତ୍ତୀ ଅଞ୍ଚଳର ତଳପାହ୍ୟା କର୍ମଚାରୀମାନେ ପେଟକୁ ମୁଠାଏ ଦାନା ଯୋଗାଡ଼ କରିବା କଷ୍ଟକର ହୋଇପଡ଼ିଛି। ଚିନିକଳ ଶ୍ରମିକଙ୍କର ୬ କୋଟି ୬୭ ଲକ୍ଷ ଟଙ୍କା ବେତନ ବାକିଥିବା ନେଇ ଶ୍ରମ ଅଦାଲତରେ କେଶ ଚାଲୁଥିବା ବେଳେ କମ୍ପାନୀ ମାଲିକଧରାଛୁଆଁ ଦେଉ ନାହାନ୍ତି

You might also like