ସରସ୍ୱତୀ ଶିଶୁମନ୍ଦିରର ବାର୍ଷିକ ଉତ୍ସବ
ନୟାଗଡ଼ : ନୟାଗଡ଼ ବ୍ଲକ୍ ପାଣିପୋଇଲା ସରସ୍ୱତୀ ଶିଶୁବିଦ୍ୟାମନ୍ଦିରର ପଂଚଦଶ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଅଛି । ବିଦ୍ୟାମନ୍ଦିରର ସଂପାଦକ ମନୋରଂଜନ ପଣ୍ଡା ତତ୍ତ୍ଵାବଧାନରେ ଆୟୋଜିତ ସଭାରେ ସଭାପତିତ୍ୱ କରିବା ସହିତ ସ୍ୱାଗତ ଅଭିଭାଷଣ ଓ ବାର୍ଷିକ ବିବରଣୀ ପାଠ କରିଥିଲେ। ଏଥିସହିତ ଶିଶୁପ୍ରେମୀ ଜନନାୟକ ପଣ୍ଡିତ୍ ନେହେରୁଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଶିଶୁମାନେ ଦେଶ ଗଠନରେ ସହାୟକ ହେବାକୁ ପରାମର୍ଶ ଦେଇଥିଲେ । ମୁଖ୍ୟ ଅତିଥି ଭାବେ ବଉଳସାହି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପ୍ରାଣୀ ବିଜ୍ଞାନର ଅଧ୍ୟାପକ ଆଲୋକ ଚନ୍ଦ୍ର ସାମନ୍ତରାୟ ସୋସିଆଲ ମିଡିଆରୁ ଶିଶୁଙ୍କୁ ଦୂରେଇ ରଖି ଆଦର୍ଶ ଛାତ୍ର ଗଠନ କରିବା ପାଇଁ ଅଭିଭାବକ ଯତ୍ନଶୀଳ ହେବା ନିମନ୍ତେ ପରାମର୍ଶ ଦେଇଥିଲେ ।
ମୁଖ୍ୟବକ୍ତା ଭାବେ ବୋଲଗଡ଼ ପରମାନନ୍ଦ ମହାବିଦ୍ୟାଳୟ ଓଡ଼ିଆ ଅଧ୍ୟାପକ ଶୁଭ୍ରାଂଶୁ ବିଶ୍ୱାଳ ଯୋଗଦେଇ ଆଧ୍ୟାତ୍ମିକତା , ନୈତିକତା ମନୁଷ୍ୟକୁ ଭଲ ମଣିଷ କରି ଗଢି ତୋଳିବାରେ ସହାୟକ ହୋଇପାରିବ ବୋଲି ମତ ରଖିଥିଲେ ।
ସମ୍ମାନିତ ଅତିଥିଭାବେ କବି ଗୋପୀନାଥ ସେଠୀ ଯୋଗଦେଇ ଶିଶୁଙ୍କୁ ମୋବାଇଲ୍ରୁ ଦୂରେଇ ରଖିବା ସହିତ ଉତ୍କଳୀୟ ସଂସ୍କୃତି ପରମ୍ପରାକୁ ବଜାୟ ରଖିବାକୁ ପରାମର୍ଶ ଦେଇଥିଲେ । ଅନ୍ୟତମ ସମ୍ମାନୀତ ଅତିଥି ଭାବେ ଅବସରପ୍ରାପ୍ତ ଶିକ୍ଷକ ଧନେଶ୍ୱର ମହାନ୍ତି ଯୋଗଦେଇ ଶିଶୁମନ୍ଦିରର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ । ବିଭିନ୍ନ ପ୍ରତିଯୋଗୀତାରେ ସଫଳତା ଅର୍ଜନ କରିଥିବା କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା । ପରିଶେଷରେ ଶିଶୁଙ୍କଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ବିଦ୍ୟା ମନ୍ଦିରର ଗୁରୁମା’ଙ୍କର ସକ୍ରିୟ ସହଯୋଗରେ କାର୍ଯ୍ୟକ୍ରମ ସଫଳ ହୋଇଥିଲା ।