ନୟାଗଡ଼,୧୧/୫: ନୟାଗଡ଼ ରାଜନୀତିର ଜଣେ ବିଚକ୍ଷଣ ରାଜନୀତିଜ୍ଞ, ବରିଷ୍ଠ ସାମ୍ବାଦିକ,ସ୍ପଷ୍ଟବାଦୀ,ନିର୍ଭୀକ, କ୍ରାନ୍ତିକାରୀ ବ୍ୟକ୍ତିତ୍ଵ ତଥା ନୟାଗଡ଼ ଏନଏସିର ତତ୍କାଳୀନ ନଗରପାଳ ଭବାନୀ ଶଙ୍କର ଦାଶଙ୍କ ଦ୍ଵାଦଶାହରେ ତାଙ୍କ ପୁରୁଣା ସହରସ୍ଥିତ ବାସଭବନ ଠାରେ ଏକ ଶ୍ରଦ୍ଧା ନିବେଦନ ସ୍ମୃତିସଭା ଅନୁଷ୍ଠିତ ହୋଇଯାଇଛି। ସ୍ବର୍ଗତ ଦାଶଙ୍କ ବଡପୁଅ ନାଗଭୂଷଣ ଦାଶ ଓ ସାନପୁଅ ନୀଳକଣ୍ଠ ଦାଶଙ୍କ ତତ୍ତ୍ଵାବଧାନରେ ଆୟୋଜିତ ଏହି ସ୍ମୃତିସଭା କାର୍ଯ୍ୟକ୍ରମରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ବ୍ରଜ କିଶୋର ତ୍ରିପାଠୀ,ପୂର୍ବତନ ବିଧାୟକ ସତ୍ୟନାରାୟଣ ପ୍ରଧାନ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ, ସମାଜସେବୀ ପ୍ରମୋଦ ପଟ୍ଟନାୟକ, ବରିଷ୍ଠ ଆଇନଜୀବୀ ମାଧବ ମିଶ୍ର, ପୂର୍ବତନ ବ୍ଲକ ଅଧ୍ୟକ୍ଷ ରବି ମିଶ୍ର,ପଞ୍ଚାୟତ ସମିତି ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁ,ନୟାଗଡ଼ ମୁନିସିପାଲିଟି ଅଧ୍ୟକ୍ଷା ନିରୁପମା ଖଟେଇ, କମ୍ରେଡ ବିଶ୍ବନାଥ ମହାପାତ୍ର, ଜିଲ୍ଲା କଂଗ୍ରେସ ସଭାପତି ରଣଜିତ ଦାଶ, ହୁସେନ ଖାଁ ପ୍ରମୁଖ ଯୋଗଦେଇ ସ୍ବର୍ଗତ ଆତ୍ମାର ସଦଗତି କାମନା କରିବା ସହିତ ତାଙ୍କର ସ୍ମୃତି ରୋମନ୍ଥନ କରି ତାଙ୍କ ଫଟୋଚିତ୍ରରେ ଧୂପ ପୁଷ୍ପ ଅର୍ପଣ କରିଥିଲେ । ଏଥିସହିତ ସ୍ବର୍ଗତ ଦାଶଙ୍କୁ ଜଣେ ଉତ୍ସର୍ଗୀକୃତ ରାଜନେତା ଭାବେ ଅଭିହିତ କରି ନୟାଗଡ଼ ଜିଲ୍ଲା ଗଠନରେ ତାଙ୍କର ଭୂମିକା ଏବଂ ସେ ନୟାଗଡ଼ର ଟାଣୁଆ ନେତା ସ୍ବର୍ଗତ ଭାଗବତ ବେହେରାଙ୍କ ଅତ୍ୟନ୍ତ ଅନୁଗତ ବୋଲି କହିଥିଲେ।ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ତାଙ୍କର ଅନୁଗତ, ଶୁଭେଚ୍ଛୁ ଓ ପ୍ରଶଂସକ ଉପସ୍ଥିତ ଥିଲେ।
