ସାମାଜିକ ସଚେତନତା ଦିଗରେ ନାଟକର ଭୂମିକା ଗୁରୁତ୍ୱପୂର୍ଣ୍ଣ//

ନାଟକ ଜୀବନର କଥା କହେ।ଏହା କେବଳ ମନୋରଂଜନ ପାଇଁ ନୁହେଁ। ସମାଜକୁ ସଚେତନ କରିବା ତଥା ନୂତନ ଦିଗ ଦେଖାଇବାର ଏକ ସଶକ୍ତ ମାଧ୍ୟମ। ନାଟକ ସିଧାସଳଖ ଭାବେ ଦର୍ଶକଙ୍କ ହୃଦୟ କୁ ଛୁଏଁ ଏବଂ ସେମାନଙ୍କୁ ଭାବିବା ପାଇଁ ପ୍ରେରିତ କରେ ମଧ୍ୟ। ଏଥିପାଇଁ ନାଟକକୁ ସମାଜର ଦର୍ପଣ କୁହାଯାଏ ବୋଲି ଓଡ଼ିଶା ନାଟ୍ୟ ସଂଘ ଦିବସ ପାଳନ ଅବସରରେ ଅତିଥିମାନେ ମତବ୍ୟକ୍ତ କରିଥିଲେ। ସ୍ଥାନୀୟ ଇନସ୍ପାୟାର ସଭାଗୃହ ପରିସରରେ ନୟାଗଡ଼ ଜିଲ୍ଲା ତରଫରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ନୟାଗଡ଼ ର ସଭାପତି ଇଂ ଦେବାଶିଷ ପଟ୍ଟନାୟକ, ସମ୍ମାନନୀୟ ଅତିଥି ବିଶିଷ୍ଟ ଶିକ୍ଷାବିତ୍ ଓ ନାଟ୍ୟକାର ଶ୍ରୀଧର ସାହୁ ଏବଂ କବୀ ଗୀତାଞ୍ଜଳି ମହାପାତ୍ର ଯୋଗଦେଇ ନାଟକର ସ୍ୱରୂପ ତଥା ନୟାଗଡ଼ ନାଟକର ବିକାଶ ଉପରେ ଆଲୋକପାତ କରିଥିଲେ। ଓଡ଼ିଶା ନାଟ୍ୟ ସଂଘର ଜିଲ୍ଲା ସଂଯୋଜକ ଶରତ ଚନ୍ଦ୍ର ଆଚାର୍ଯ୍ୟ ସ୍ୱାଗତ ଭାଷଣ ଦେଇଥିବା ବେଳେ କାର୍ଯ୍ୟକ୍ରମ ର ସଂଯୋଜନା କରିଥିଲେ ଅଧ୍ୟାପିକା ନିଳୀମା ନନ୍ଦ।

ଏହି ଅବସରରେ +୨ ଓ +୩ ଛାତ୍ର ଛାତ୍ରୀ ଙ୍କ ମଧ୍ୟରେ ଏକକ ଅଭିନୟ , ମୁକାଭିନୟ ଓ ସଂଳାପ କହିବା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏକକ ଅଭିନୟ ରେ ଅଭିଲିପ୍ସା ସାହୁ, ଶୁଭଶ୍ରୀ ନାୟକ, ବିଶ୍ୱଜିତ ରାଉତ, ସେହିପରି ସଂଳାପ କହିବାରେ ସାଗର ବେହେରା, ରୋଜାଲିନ ଦାଶ, ସୁମିତ ପାଲ୍ ଏବଂ ମୁକାଭିନୟରେ ଦୀପଙ୍କର ଦାଶ, ଶୁଭାଶିଷ ଦାଶ ଯଥାକ୍ରମେ ପ୍ରଥମ , ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିଲେ। ନୟାଗଡ଼ ସ୍ବୟଂ ଶାସିତ ମହାବିଦ୍ୟାଳୟ ର ଛାତ୍ରୀ ବିଦ୍ୟା ବିଜିତା ମହାନ୍ତି ଙ୍କୁ ସ୍ଵତନ୍ତ୍ର ବିଚାରକ ସମ୍ମାନ ପ୍ରଦାନ କରାଯାଇଥିଲା। ଅତିଥି ବିଚାରକ ରୂପେ ଯୋଗଦେଇଥିଲେ ମିଷ୍ଟର କାଳିଆ, କାମାକ୍ଷା ପ୍ରସାଦ ଦାଶ ଓ ଗୋକୁଳ କୁମାର ଷଡ଼ଙ୍ଗୀ।

ବରିଷ୍ଠ ଅଭିନେତା ନିରଞ୍ଜନ ନାୟକ ଙ୍କ ବରିଷ୍ଠ ନାଗରିକଙ୍କ ସମସ୍ୟା କୁ ନେଇ ଏକକ ଅଭିନୟ ଥିଲା ହୃଦୟସ୍ପର୍ଶୀ। ସମଗ୍ର ଓଡ଼ିଶାରେ ଏହି କାର୍ଯ୍ୟକ୍ରମ ମହାସମାରୋହରେ ପାଳିତ ହେଉଥିବାରୁ ଉପସ୍ଥିତ ନାଟ୍ୟକର୍ମୀମାନେ ଓଡ଼ିଶା ନାଟ୍ୟ ସଂଘ ର ସଭାପତି ଜାତୀୟସ୍ତରର ପ୍ରସିଦ୍ଧି ପ୍ରାପ୍ତ ନିର୍ଦ୍ଦେଶକ ମନୋଜ କୁମାର ପଟ୍ଟନାୟକ ଓ ବିଶିଷ୍ଟ ଅଭିନେତା ତଥା ଓଡ଼ିଶା ନାଟ୍ୟ ସଂଘ ର ସଂପାଦକ ଶୁଭକାନ୍ତ ପାଢ଼ୀ ଙ୍କୁ ଭୂୟସୀ ପ୍ରଶଂସା କରିବା ସହ ଧନ୍ୟବାଦ ପ୍ରଦାନ କରିଥିଲେ।

You might also like