NAYAGADA TODAY-ଦଶପଲ୍ଲା ବ୍ଲକ୍ କାର୍ଯ୍ୟାଳୟ ପରିସରରେ ମଧୁବାବୁ ପେନସନ୍ ଯୋଜନା କାର୍ଯ୍ୟକାରୀ କରାଯାଇଛି। ଏଥିରେ ଦଶପଲ୍ଲା ବ୍ଲକର ୧୨୪୯ ଜଣ ଏବଂ ବିଜ୍ଞାପିତ ଅଞ୍ଚଳ ପରିଷଦ (NAC) ର ୨୨୨ ଜଣ ହିତାଧିକାରୀଙ୍କ ପାଇଁ ଭତ୍ତା ମଞ୍ଜୁର ହୋଇଛି।ଆଜିର କାର୍ଯ୍ୟକ୍ରମରେ ବ୍ଲକ୍ ଏବଂ NAC ମିଶାଇ ପ୍ରାୟ ୨୦୦ ଜଣ ହିତାଧିକାରୀଙ୍କୁ ଭତ୍ତା ପ୍ରଦାନ କରାଯାଇଛି। ମଧୁବାବୁ ପେନସନ୍ ଯୋଜନାରେ ୬୦ ବର୍ଷରୁ ଊର୍ଦ୍ଧ୍ୱ ଏବଂ ୭୯ ବର୍ଷରୁ କମ୍ ବୟସର ହିତାଧିକାରୀଙ୍କୁ ୧୦୦୦ ଟଙ୍କା ଏବଂ ୮୦ ବର୍ଷରୁ ଅଧିକ ବୟସର ବ୍ୟକ୍ତିଙ୍କୁ ୩୫୦୦ ଟଙ୍କା ଭତ୍ତା ପ୍ରଦାନ କରାଯାଉଛି।ଅନ୍ୟ ଯେଉଁ ହିତାଧିକାରୀମାନେ ରହିଗଲେ ସେମାନେ ୟୁପିଏମପି(UPMP) ପୋର୍ଟାଲରେ ଆବେଦନ କରିବେ। ତାଙ୍କୁ ୧ ମାସ ମଧ୍ୟରେ ଭତ୍ତା ମଞ୍ଜୁର କରାଯାଇ ପ୍ରଦାନ କରାଯିବ ବୋଲି ସୂଚନା ଦିଆଯାଇଛି। ଲୋକମାନେ ଯେପରି କୌଣସି ସମସ୍ୟାର ସମ୍ମୁଖୀନ ନ ହୁଅନ୍ତି ସେଥିପାଇଁ ବ୍ଲକ୍ ପ୍ରଶାସନ ସମ୍ପୂର୍ଣ୍ଣ ସଜାଗ ରହିଛି। କୌଣସି ଦଲାଲଙ୍କ ସାହାଯ୍ୟ ନ ନେଇ ଏବଂ ତାଙ୍କ କଥାରେ ପ୍ରଲୋଭିତ ନ ହୋଇ ଭତ୍ତା ହେଉ କି ରାସନ୍ କି ଆବାସ ଯାହା ବି ସମସ୍ୟା ରହୁଛି ସିଧାସଳଖ ବ୍ଲକ୍ ପ୍ରଶାସନ ସହିତ ଯୋଗାଯୋଗ କରିବାକୁ ପରାମର୍ଶ ଦେଇଛନ୍ତି ଦଶପଲ୍ଲା ବିଡ଼ିଓ ଶ୍ରୀ ଶରତ କୁମାର ମଲ୍ଲିକ।ଆଜିର କାର୍ଯ୍ୟକ୍ରମ ଦଶପଲ୍ଲା ବିଡ଼ିଓ ଶରତ କୁମାର ମଲ୍ଲିକଙ୍କ ତତ୍ତ୍ଵାବଧାନରେ ଆୟୋଜିତ ହୋଇଥିବାବେଳେ କାର୍ଯ୍ୟକ୍ରମରେ ପଞ୍ଚାୟତ ସମିତି ଅଧ୍ୟକ୍ଷା ସୁନନ୍ଦା ସାହୁ, ଦଶପଲ୍ଲା ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷା ଇଂ. ପୁନମ ପ୍ରିୟଦର୍ଶିନୀ, ସାଂସଦଙ୍କ ପ୍ରତିନିଧି କିଶୋର ଚନ୍ଦ୍ର ଦଳବେହେରା ଓ ଏବିଡ଼ିଓ ଗୋବିନ୍ଦ ଚନ୍ଦ୍ର ଦାସଙ୍କ ସମେତ ଜନପ୍ରତିନିଧି ଏବଂ ହିତାଧିକାରୀ ଯୋଗ ଦେଇଥିଲେ l