ନୟାଗଡ଼ରୁ ହାୱଡ଼ା ଏବଂ ବିଶାଖାପାଟଣାକୁ ଟ୍ରେନ ଚଲାଅ:ନୟାଗଡ଼ ନାଗରିକ ମଞ୍ଚ
ଦୀର୍ଘ ଦିନର ପ୍ରତୀକ୍ଷା ପରେ ଗତ ୨୦୧୭ରୁ ନୟାଗଡ଼ ଜିଲ୍ଲା ରେଳ
ମାନଚିତ୍ରରେ ସ୍ଥାନ ପାଇଥିବା ବେଳେ ଅଦ୍ୟାବଧି ଅନେକ ଗୁଡ଼ିଏ ଦାବି ପୂରଣ ହୋଇ ପାରିନାହିଁ । ଗତ ୨୦୧୭ ମସିହା ଜୁନ ୧୯ ତାରିଖରେ ଖୋର୍ଦ୍ଧା-ବଲାଙ୍ଗୀର ରେଳ
ପ୍ରକଳ୍ପର ଅଂଶ ସ୍ୱରୂପ ନୟାଗଡ଼ ଟାଉନ ଷ୍ଟେସନ ତତ୍କାଳୀନ ରେଳମନ୍ତ୍ରୀ ସୁରେଶ ପ୍ରଭୁଙ୍କ ଦ୍ୱାରା ଉଦଘାଟିତ ହୋଇଥିଲା । ଇତି ମଧ୍ୟରେ ଦୀର୍ଘ ୭ବର୍ଷ ଅତିକ୍ରାନ୍ତ ହୋଇ ସାରିଥିବା ବେଳେ ନୟାଗଡ଼ ଜିଲ୍ଲାବାସୀ ସର୍ବନିମ୍ନ ରେଳ ସୁବିଧା ପାଇ ପାରିଲେ ନାହିଁ । କେବଳ ଦଶପଲ୍ଲାରୁ ଭୁବନେଶ୍ୱର, ପୁରୀ ଏବଂ ଭଦ୍ରକ ମଧ୍ୟରେ ତିନୋଟି ଟ୍ରେନ
ଚଳାଚଳ କରୁଥିବା ବେଳେ ରାଜ୍ୟର ଅନ୍ୟାନ୍ୟ ସ୍ଥାନ ଏବଂ ରାଜ୍ୟ ବାହାରକୁ ଜିଲ୍ଲାରୁ କୌଣସି ଟ୍ରେନ ସୁବିଧା ନାହିଁ । ନୟାଗଡ଼ ଜିଲ୍ଲାରୁ ବ୍ୟବସାୟିକ କାର୍ଯ୍ୟ , ପରିଭ୍ରମଣ ତଥା ଅନ୍ୟାନ୍ୟ କାର୍ଯ୍ୟ ପାଇଁ ଅଧିକାଂଶ ଲୋକ ରାଜ୍ୟ ବହାରକୁ ଯଥା କୋଲକତା,ବାଙ୍ଗାଲୋର, ବିଶାଖାପାଟଣା,ମୁମ୍ବାଇ ଆଦି ସ୍ଥାନକୁ ଯାଇଥାନ୍ତି । ମୁଖ୍ୟତଃ ଜିଲ୍ଲାର ଅଧିକାଂଶ ବ୍ୟବସାୟୀ ମାଲ ପାଇଁ କୋଲକତା ଏବଂ ବିଶାଖାପାଟଣା ଉପରେ ନିର୍ଭର କରିଥାନ୍ତି । ତେବେ ନୟାଗଡ଼ରୁ ଏହି ସବୁ ସ୍ଥାନ ଗୁଡ଼ିକ ସହିତ ସିଧାସଳଖ ରେଳ ସଂଯୋଗ ନଥିବାରୁ ବ୍ୟବସାୟୀମାନେ ନାନା ଭାବରେ ହଇରାଣ ହୋଇଥାନ୍ତି । ତେଣୁ ନୟାଗଡ଼ରୁ ହାୱଡ଼ା ଏବଂ ବିଶାଖାପଟଣାକୁ ତୁରନ୍ତ ରେଳ ସଂଯୋଗ କରାଯିବା ପାଇଁ ନୟାଗଡ଼ ନାଗରିକ ମଞ୍ଚ ପକ୍ଷରୁ ରେଳ ବିଭାଗ ନିକଟରେ ଦାବି କରାଯାଇଛି । ସେହିପରି ଅନ୍ୟାନ୍ୟ ଦାବି ଗୁଡ଼ିକ ମଧ୍ୟରେ ଦଶପଲ୍ଲାରୁ ଭୁବନେଶ୍ୱର ଯାଉଥିବା ମେମୁ ଟ୍ରେନକୁ ପାରାଦ୍ୱୀପ ପର୍ଯ୍ୟନ୍ତ ସମ୍ପ୍ରସାରଣ କରିବା, କେନ୍ଦୁଝର-ଖୋର୍ଦ୍ଧା ରୋଡ଼ ପାସେଞ୍ଜର ଟ୍ରେନକୁ ନୟାଗଡ଼ ପର୍ଯ୍ୟନ୍ତ ଚଲାଇବା, ଦଶପଲ୍ଲାରୁ ପୁରୀ ଯାଉଥିବା ପାସେଞ୍ଜର ଟ୍ରେନକୁ ବଦଳାଇ ମେମୁ ଟ୍ରେନ ପ୍ରଚଳନ କରିବା,ବିର୍ତ୍ତମାନ ଦିନକୁ ଦିନ ରେଳଯାତ୍ରୀଙ୍କ ସଂଖ୍ୟା ବଢ଼ୁ ଥିବାରୁ ଚଳାଚଳ କରୁଥିବା ଟ୍ରେନ ଗୁଡ଼ିକର ବଗି ସଂଖ୍ୟା ବୃଦ୍ଧି କରିବା ତଥା ନୟାଗଡ଼ ଟାଉନ ଷ୍ଟେସନ ପରିସର ଏବଂ ଏହାର ପରିବେଶ ସଫା ସୁତୁରା ରଖିବା ଆଦି ଦାବି କରାଯାଇଛି ।
ଏ ନେଇ ସାତଦଫା ଦାବି ସମ୍ବଳିତ ଏକ ଦାବିପତ୍ର ପୂର୍ବତଟ ରେଳପଥ ସାଧାରଣ ପ୍ରବନ୍ଧକଙ୍କ ଉଦ୍ଦେଶ୍ୟରେ ନୟାଗଡ଼ ଟାଉନ ଷ୍ଟେସନ ମ୍ୟାନେଜର ସୁଖେନ୍ଦୁ ପ୍ରଧାନଙ୍କୁ ଆଜି ପୂର୍ବାହ୍ନରେ ପ୍ରଦାନ କରାଯାଇଛି । ଆସନ୍ତା ୧୫ ଦିନ ମଧ୍ୟରେ ଏହି ଦାବି ଗୁଡ଼ିକ ବିଚାର କରାଯାଇ ପୂରଣ କରିବା ଦିଗରେ ରେଳ ବିଭାଗ ତ୍ୱରିତ୍ ପଦକ୍ଷେପ ନେବାକୁ ନାଗରିକ ମଞ୍ଚ ପକ୍ଷରୁ ଅନୁରୋଧ କରାଯାଇ ଥିବା ବେଳେ ଦାବି ପୂରଣ ନହେଲେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯିବ ବୋଲି ନାଗରିକ ମଞ୍ଚ ପକ୍ଷରୁ ଦୃଢ଼ ଚେତାବନୀ ଦିଆଯାଇଛି । ନୟାଗଡ଼ ନାଗରିକ ମଞ୍ଚ ସଭାପତି ପ୍ରମୋଦ ପଟ୍ଟନାୟକ ଏବଂ ସମ୍ପାଦକ ଲକ୍ଷ୍ମୀଧର ସାହୁଙ୍କ ନେତୃତ୍ୱରେ ଦାବିପତ୍ର ଷ୍ଟେସନ ମ୍ୟାନେଜରଙ୍କ ମାଧ୍ୟମରେ ପ୍ରଦାନ କରାଯାଇଥିବା ବେଳେ ଉପସଭାପତି ପ୍ରଦୀପ କୁମାର ସାହୁ,ସହସମ୍ପାଦକ ପ୍ରଶାନ୍ତ କୁମାର ପଟ୍ଟନାୟକଙ୍କ ସମେତ ସଦସ୍ୟ ଲକ୍ଷ୍ମୀଧର ମହାପାତ୍ର,ତ୍ରିନାଥ ସାହୁ,ପ୍ରଫୁଲ୍ଲ କୁମାର ନାୟକ,ପ୍ରଦୀପ କୁମାର ଡାକୁଆ ପ୍ରମୁଖ ଉପସ୍ଥିତ ଥିଲେ