ନୟାଗଡ ଜିଲ୍ଲା ହେବାର ୨୯ ବର୍ଷ ପରେ ମଧ୍ୟ ପଛୁଆ ଜିଲ୍ଲାର ମାନ୍ୟତା ହଟୁନି

ଏନଟି ବ୍ୟୁରୋ- ନୟାଗଡକୁ ୧୯୯୩ ମସିହାରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ଏବଂ ସେତବେଳର ବିଶିଷ୍ଟ ରାଜନୀତିଜ୍ଞ ପୂର୍ବତନ ମନ୍ତ୍ରୀ ଭାଗବତ ବେହେରା ସ୍ୱତନ୍ତ୍ର ରାଜସ୍ବ ଜିଲ୍ଲାର ମାନ୍ୟତା ପ୍ରଦାନ କରିଥିବାରୁ ନୟାଗଡ ଟୁଡ଼େ ପରିବାର ପକ୍ଷରୁ ଶତକୋଟି ନମନ l ନୟାଗଡକୁ ପୁରୀ ଜିଲ୍ଲାରୁ ଅଲଗା କରି ନୂତନ ଜିଲ୍ଲା ଘୋଷଣା ପାଇଁ ଆନ୍ଦୋଳନକୁ ତୀବ୍ରତର କରାଇଥିବା ନୟାଗଡ ଓକିଲ ସଂଘ, ସାମ୍ବାଦିକ ସଂଘ, ବିଭିନ୍ନ ଗଣସଂଗଠନ, ପ୍ରତ୍ୟେକ ରାଜନୈତିକ ଦଳର ନେତୃବୃନ୍ଦ, ସମାଜସେବୀ ସମସ୍ତଙ୍କୁ ଆମେ ଆଜିର ଜିଲ୍ଲା ପ୍ରତିଷ୍ଠା ଦିବସରେ ସଶ୍ରଦ୍ଧ ସମ୍ମାନ,ଯେଉଁମାନେ ସ୍ୱର୍ଗପ୍ରାପ୍ତି ହୋଇଛନ୍ତି ସେମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଉଛୁ|


ନୟାଗଡ ଜିଲ୍ଲା ହେବା ପରେ ନ୍ୟାୟିକ ବ୍ୟବସ୍ଥାରେ ଆମ୍ଭେ ଉପଯୁକ୍ତ ଭିତ୍ତିଭୂମି ପାଇଛେ l ପ୍ରଶାସନିକ ସ୍ତରରେ ସର୍ବନିମ୍ନ ଦୁଇଟି ରାଜସ୍ବ ସବଡିଭିଜନ କାର୍ଯ୍ୟାଳୟ ଖୋଲି ପାରିଲା ନାହିଁ l ସ୍ୱାସ୍ଥ୍ୟସେଵା ବିକାଶ କେବଳ ବଡବଡ଼ ଅଟ୍ଟାଳିକାରେ ସୀମିତ ଅଛି, ଆଜିଯାଏଁ ଜିଲ୍ଲାରେ ଖାଲି ପଡିଥିବା ୧୫୦ ଡାକ୍ତର ପଦବୀ ପୂରଣ ହୋଇ ପାରୁନି l କିଡ଼ନୀ, ହାର୍ଟ, ବ୍ରେନ, ଲିଭର ଭଳି ଦୂରସାଧ୍ୟ ରୋଗପାଇଁ ନୟାଗଡରେ ଡାକ୍ତର ନାହାଁନ୍ତି l ଏକା ସାଙ୍ଗେ ଜିଲ୍ଲା ଘୋଷଣା ହୋଇଥିବା ବହୁ ଜିଲ୍ଲାରେ ରାଜ୍ୟ ସରକାରଙ୍କ ଉପରେ ଚାପ ପକାଇ ମେଡିକାଲ କଲେଜ ସ୍ଥlପନା କରିବା ପାଇଁ ସେଠାକାର ମନ୍ତ୍ରୀ ବିଧାୟକ ମନପ୍ରାଣ ଦେଇ ଲାଗିଥିବା ବେଳେ ଆମ ଜିଲ୍ଲାର ନେତା ବିଶ୍ଵସ୍ତରୀୟ ପାର୍କ ନିର୍ମାଣରେ ବ୍ୟସ୍ତ ରହି ସେଲ୍ଫି ପୋଜ ଦେଉଛନ୍ତି l

ଶିକ୍ଷା କ୍ଷେତ୍ରରେ ଆମ ଜିଲ୍ଲା ବହୁ ପଛରେ,ନୟାଗଡ କଲେଜରୁ ସ୍ୱୟଂଶାସିତ ମାନ୍ୟତା କଟିଗଲାଣି, ଉଚ୍ଚ ଶିକ୍ଷା ମନ୍ତ୍ରୀ ଥାଇ ମଧ୍ୟ ବିଶ୍ୱବିଦ୍ୟାଳୟ ହୋଇ ପାରୁନି ପୁଣି ଏକମାତ୍ର ମହିଳା କଲେଜ କେମିତି ସରକାରୀ ହେବ ତାହା ଚିନ୍ତା କରାଯାଉ ନାହିଁ, ପୁଳାପୁଳା ସ୍ମାର୍ଟସ୍କୁଲ କିଠାବାଡି ବଗିଚା ହେଉଛି କିନ୍ତୁ ଆବଶ୍ୟକୀୟ ଶିକ୍ଷକ ଅଭାବ, ପୂରଣ ହୋଇ ପାରୁନି ଶିକ୍ଷକ ପଦବୀ l ଶିକ୍ଷକ ବିନା ଚାଲିଛି ସ୍ମାର୍ଟସ୍କୁଲ l

ଜଳସେଚନ କ୍ଷେତ୍ରରେ ଚାଷୀଙ୍କ ଦୁଃଖ ସରୁନି, ଏକମାତ୍ର ସମବାୟ ଭିତ୍ତିକ ଚିନିକଳ ମାଟିରେ ମିଶାଗଲା, ବୃତଙ୍ଗ ବୃହତ ଜଳସେଚନ ପ୍ରକଳ୍ପ ପାଇଁ ଜିଲ୍ଲାର ମନ୍ତ୍ରୀ ବିଧାୟକଙ୍କ ଆନ୍ତରିକତା ନାହିଁ, ୨୯ ବର୍ଷପୂର୍ବେ ଯେତିକି ଆୟାକଟ ଜମି ଜଳସେଚିତ ହେଉଥିଲା ଆଜିବି ସେତିକି ରେ ସୀମିତ, ଗୋଟେ ଶୀତଳ ଭଣ୍ଡାର ହୋଇ ପାରୁନି କିନ୍ତୁ ନେତାଙ୍କ ବେନାମୀ ଫାର୍ମହାଉସ ବଢ଼ିବାରେ ଲାଗିଛି l କୁସୁମୀ ବ୍ୟାରେଜ ନିର୍ମାଣ ଦୁଇବର୍ଷରେ ସରିବ ବୋଲି କୁହା ଯାଇଥିଲା କିନ୍ତୁ ଏବେ ତାର ମୂଳ ଅଟକଳ ମୂଲ୍ୟ ଦୁଇଗୁଣା ହୋଇ ୨୫୦ କୋଟି ଟପିଗଲାଣି, ଚାଷୀଙ୍କ ସ୍ୱାର୍ଥ ଅପେକ୍ଷା ଠିକାଦାର ଲାଭ ଆଉ ପିସି ଅଦାୟ ଚାଲିଛି lଜିଲ୍ଲାବାସୀଙ୍କୁ ବିଶୁଦ୍ଧ ପାନୀୟ ଜଳ ଟିକେ ଦେଇ ପାରୁଛେ ବୋଲି ଆଜି ମଧ୍ୟ ଆମେ କହିପାରିବା ନାହିଁ, ଖରାଦିନେ ଜଳସଙ୍କଟ, ପିଇବା ପାଣି ଟୋପେ ପାଇଁ ହାହାକାର ଅବସ୍ଥା ଦେଖିବାକୁ ମିଳୁଛି l କିନ୍ତୁ ଶହଶହ ସଂଖ୍ୟାରେ ଓଭରହେଡ଼ ପାଣିଟାଙ୍କି, ଚେକଡ୍ୟାମ ନିର୍ମାଣ ହେଇଛି l

ଵିଗତ ୨୯ ବର୍ଷରେ ଜିଲ୍ଲାରେ ଦାରିଦ୍ର୍ୟ କମିବା ପରିବର୍ତ୍ତେ ବଢ଼ିବାରେ ଲାଗିଛି, ଯାହାର ଜେଜେବାପା ବିପିଏଲ ଥିଲା ଆଜି ତା ନାତି ବିପିଏଲ କାର୍ଡ ପାଉଥିବାରୁ ଜିଲ୍ଲାରୁ ଦାରିଦ୍ର୍ୟ ହଟିବାର ଏହା ବାସ୍ତବ ଚିତ୍ର lଧଳାଜହର ପାଉଡର ଗଞ୍ଜେଇ କଫସିରପ କାରବାର. ବହୁ ମାତ୍ରାରେ ବୃଦ୍ଧି ପାଇ ଯୁବସମାଜ ପଥଭ୍ରଷ୍ଟ, ପିତାମାତା ଚିନ୍ତାରେ, ପୋଲିସ ଏହାକୁ ବନ୍ଦ କରିବାରେ ବିଫଳ, ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ, ଚୋରିରାହାଜାନି, ଧର୍ଷଣ, ହତ୍ୟା ମୋକଦ୍ଦମା ବଢୁଛି, ଶିକ୍ଷିତ ଯୁବକ ଯୁବତୀ ମାନଙ୍କ ପାଇଁ ରୋଜଗାର ସୃଷ୍ଟି କରାଯାଉ ନାହିଁ, ଯୁବସମାଜ ବେରୋଜଗାର ପଛରେ ଦୌଡ଼ିଦୌଡ଼ି ଶେଷରେ ଦାଦନ ଖଟିବା ପାଇଁ ଅନ୍ୟ ରାଜ୍ୟକୁ ଯାଉଛନ୍ତି, କିନ୍ତୁ ଆଜି ନୟାଗଡର ହାତଗଣତି କେତେଜଣ ଯୁବକ ଯେଉଁମାନଙ୍କୁ ପର୍ଯ୍ୟାପ୍ତ ରୋଜଗାର ଦିଆଯାଇ ସେମାନଙ୍କ ନମରେ ବେନାମୀ ସମ୍ପତ୍ତି ରଖାଯାଉଛି l

ଶାସକ ପ୍ରଶାସକଙ୍କ ଜାଣତରେ ସମଗ୍ର ଜିଲ୍ଲାରୁ ଲଘୁ ଖଣିଜ ସମ୍ପଦ ଲୁଟର ସୀମା ଅତିକ୍ରମ କଲାଣି ଯାହାକି ଆଗାମୀ ପିଢ଼ି ପାଇଁ ଚିନ୍ତାର କାରଣ l ରାଜନେତା ମାନେ ଜବରଦସ୍ତ କିଛି ଠିକାଦାରଙ୍କୁ ଲଗାଇ ମହାନଦୀ ବାଲି,କଳାମୁଗୁନି ପଥର, ମାଙ୍କେଡା, ମୋରମ, ପାଣି ଲୁଟୁଛନ୍ତି, ଯାହା କଳ୍ପନା କରିବା ଅସମ୍ଭବ lନୟାଗଡ ଜିଲ୍ଲା ଗଠନ ହେବାପରେ ଜିଲ୍ଲାର ବିକାଶ ହେଉ କି ନହେଉ କିଛି ରାଜନେତା, ଠିକାଦାର ମାନଙ୍କ ସମ୍ପତି ଆଶାତିତ ଭାବେ ହଜାରେ ଗୁଣ ବୃଦ୍ଧି ଘଟିଛି l ଅତଏବ ଶାସକ,ବିରୋଧୀ ଏବଂ ରାଜନୈତିକ ସମୀକ୍ଷକଙ୍କୁ ନେଇ ୨୯ ବର୍ଷରେ ନୟାଗଡ ବିକାଶ ଶୀର୍ଷକ ଏକ ସାର୍ବଜନୀନ ଆଲୋଚନାଚକ୍ର ଆୟୋଜନର ଆବଶ୍ୟକତା ରହିଛି l

You might also like
Leave a comment