NAYAGADA TODAY-ରୋଟାରୀ କ୍ଲବ ନୟାଗଡ଼ର ୩୭ତମ ପ୍ରତିଷ୍ଠା ଦିବସ ଆଜି ନୟାଗଡ଼ସ୍ଥିତ ରୋଟାରୀ ଭବନଠାରେ ଉତ୍ସାହ ଓ ଆନନ୍ଦର ସହ ପାଳିତ ହୋଇଯାଇଛି। ଏହି ଅବସରରେ ନୟାଗଡ଼ର ମୁଖ୍ୟ ଜିଲ୍ଲା ଚିକିତ୍ସା ଅଧିକାରୀ ଡା. ବି. ସୂର୍ଯ୍ୟ ରାଓ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ।କ୍ଲବର ସଭାପତି ବାସୁଦେବ ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ କ୍ଲବର ଚାର୍ଟର ସଦସ୍ୟ ସୁବୋଧ ଚନ୍ଦ୍ର ପଟ୍ଟନାୟକ ଓ ଗୋଦାବରୀଶ ସାହୁଙ୍କୁ ସେମାନଙ୍କ ଅବଦାନ ଓ ଦୀର୍ଘଦିନର ସମର୍ପିତ ସେବା ପାଇଁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ଅବସରରେ ଉପସ୍ଥିତ ରୋଟାରିଆନମାନେ ରୋଟାରୀ ସହ ଜଡ଼ିତ ନିଜ ନିଜର ଅନୁଭୂତି ଓ ସ୍ମୃତି ବଖାଣିବା ସହ ସମାଜସେବା କ୍ଷେତ୍ରରେ ରୋଟାରୀର ଭୂମିକା ଏବଂ ଅବଦାନ ସମ୍ପର୍କରେ ମତବ୍ୟକ୍ତ କରିଥିଲେ।ଚାର୍ଟର ଡେ ଅବସରରେ କ୍ଲବ ପକ୍ଷରୁ ନୂଆଗାଁ ବ୍ଲକ ଅନ୍ତର୍ଗତ ବିରୁଡ଼ା ଗ୍ରାମସ୍ଥିତ ମା’ ରାମଚଣ୍ଡୀ ମନ୍ଦିରରେ ଏକ ଥଣ୍ଡା ପାନୀୟ ଜଳ ବଣ୍ଟନ ବ୍ୟବସ୍ଥା ଆରମ୍ଭ କରାଯାଇଛି। ଏହି ପଦକ୍ଷେପ ମାଧ୍ୟମରେ ମନ୍ଦିରକୁ ଆସୁଥିବା ଶ୍ରଦ୍ଧାଳୁ ଓ ସାଧାରଣ ଲୋକଙ୍କୁ ଶୁଦ୍ଧ ଓ ଶୀତଳ ପାନୀୟ ଜଳ ଯୋଗାଇବାର ଉଦ୍ୟମ କରାଯାଇଛି। ଆଜିର କାର୍ଯ୍ୟକ୍ରମକୁ ପୂର୍ବତନ ସଂପାଦକ ଅବିନାଶ ସାହୁ ସଂଯୋଜନା କରିଥିଲେ । ରୋଟାରୀ କ୍ଲବ ର ସଦସ୍ୟମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହାୟତା କରିଥିଲେ।ପରିଶେଷରେ ରୋଟାରୀ କ୍ଲବର ସମ୍ପାଦକ ଦିଲୀପ କୁମାର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।