NAYAGADA TODAY-ଓଡ଼ଗାଁ ବ୍ଲକର ଚାଷୀ, ଶ୍ରମିକ, ପାଚିକା, ବୃଦ୍ଧ, ବିଧବା, ଭିନ୍ନକ୍ଷମ ଓ ସାଧାରଣ ଜନତାଙ୍କ ବିଭିନ୍ନ ମୌଳିକ ସମସ୍ୟାର ସମାଧାନ ଦାବିରେ ଆଜି ଭାରତର କମ୍ୟୁନିଷ୍ଟ ପାର୍ଟି (ମାର୍କ୍ସବାଦୀ) ସିପିଆଇ(ଏମ୍), ଓଡ଼ଗାଁ ବ୍ଲକ କମିଟି ପକ୍ଷରୁ ବିକ୍ଷୋଭ ଓ ପ୍ରତିବାଦ କରାଯାଇ ବିଡିଓ, ଓଡଗାଁ ଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି।ଏହି କାର୍ଯ୍ୟକ୍ରମ ଦଲକ ଠାରୁ ବହୁ ନେତା ଓ କର୍ମୀଙ୍କ ସମେତ ବହୁ ଜନସାଧାରଣ ପଦଯାତ୍ରା କରି ବ୍ଲକ ସମ୍ମୁଖରେ ପାର୍ଟିର ଶରଣକୂଳ ଲୋକାଲ ସମ୍ପାଦିକା ଜ୍ୟୋତିପ୍ରଭା ଯେନାଙ୍କ ସଭାପତିତ୍ୱ ରେ ପ୍ରତିବାଦ ସଭା କରିଥିଲେ । ଭାଗଚାଷୀଙ୍କୁ ଆଇନଗତ ସ୍ୱୀକୃତି, ଧାନମଣ୍ଡି ତୁରନ୍ତ ଖୋଲିବା, ବିନା କଟନି ଛଟନିରେ ଧାନ କ୍ରୟ, କେନାଲରେ ପାଣି ଯୋଗାଣ ଓ ପାଣି ନପାଉଥିବା ଜମିରୁ ଜଳକର ଆଦାୟ ବନ୍ଦ, ବୃଦ୍ଧ, ବିଧବା ଓ ଭିନ୍ନକ୍ଷମଙ୍କ ମାସିକ ଭତ୍ତା ୬ ହଜାର ଟଙ୍କାକୁ ବୃଦ୍ଧି, ପ୍ରତି ପରିବାରକୁ ୩୦୦ ୟୁନିଟ୍ ମାଗଣା ବିଜୁଳି, ସ୍ମାର୍ଟ ମିଟର ଓ ଅଯଥା ବିଜୁଳି କାଟ ବନ୍ଦ, ପାଚିକାମାନଙ୍କୁ ନିୟମିତ ପାରିଶ୍ରମିକ ପ୍ରଦାନ, ମାସିକ ୪୨୦୦୦ଏବଂ ବର୍ଷକୁ ଦୁଇ ଖଣ୍ଡ ଶାଢ଼ୀ,ସମସ୍ତ ଯୋଗ୍ୟ ଗରିବ ପରିବାରକୁ ରାସନ କାର୍ଡ ଓ ଆବାସ ଯୋଗାଇଦେବା ଆଦି ଦାବି ଉଲ୍ଲେଖ କରାଯାଇଛି।ଏଥିରେ ସିପିଏମ ର ରାଜ୍ୟ କମିଟି ସଭ୍ୟ ସରୋଜ ନାୟକ, ଜିଲ୍ଲା ନେତା ପବିତ୍ର ଇନ୍ଦ୍ରଜିତ, ବ୍ଲକ ନେତା ନିରଞ୍ଜନ ସାହୁ, ପାଚିକା ନେତ୍ରୀ ଗୀତାଞ୍ଜଳି ସାହୁ,କୃଷକ ନେତା ବେଣୁଧର ପ୍ରଧାନ ଓ ଲଷ୍ମୀଧର ପ୍ରଧାନ ଯୋଗ ଦେଇ କହିଥିଲେ ଯେ ଚାଷୀ ନିଜର ଉତ୍ପାଦିତ ଧାନର ଉଚିତ ମୂଲ୍ୟ ପାଉନଥିବା ବେଳେ କେନାଲରେ ପାଣି ନପହଞ୍ଚିବା ଯୋଗୁଁ ଚାଷ କାର୍ଯ୍ୟ ବାଧାପ୍ରାପ୍ତ ହେଉଛି। ଅନ୍ୟପଟେ ବୃଦ୍ଧ, ବିଧବା ଓ ଭିନ୍ନକ୍ଷମମାନେ ନିୟମିତ ଭତ୍ତା ପାଇବାରେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ପାଚିକାମାନେ ମଧ୍ୟ ନିଜର ପାରିଶ୍ରମିକ ପାଇବାରେ ବିଳମ୍ବର ଶିକାର ହେଉଛନ୍ତି।ଏହି ସମସ୍ୟାଗୁଡ଼ିକର ତୁରନ୍ତ ସମାଧାନ କରିବା ସହ ଦାବିଗୁଡ଼ିକ ଉପରେ ପ୍ରଶାସନ ଗୁରୁତ୍ୱର ସହ ବିଚାର କରି ପଦକ୍ଷେପ ନେବାକୁ ପାର୍ଟି ପକ୍ଷରୁ ଦାବି କରାଯାଇଛି। ଦାବିଗୁଡ଼ିକର ସମାଧାନ ନହେଲେ ଆଗାମୀ ଦିନରେ ଜନସାଧାରଣଙ୍କୁ ନେଇ ବ୍ୟାପକ ଗଣଆନ୍ଦୋଳନ ଗଢ଼ି ତୋଳାଯିବ ବୋଲି ପାର୍ଟି ପକ୍ଷରୁ ଚେତାବନୀ ଦିଆଯାଇଛି।