NAYAGADA TODAY-ପବିତ୍ର ଦୀପାବଳି ଅବସରରେ ନୟାଗଡ଼ ଜିଲ୍ଲା ଦଶପଲ୍ଲାରେ ଘଟିଛି ଏକ ହୃଦୟବିଦାରକ ସଡ଼କ ଦୁର୍ଘଟଣା। ମୃତଦେହ ନେଇ ଯାଉଥିବା ଏକ ଆମ୍ବୁଲାନ୍ସ ରାସ୍ତାକଡ଼ ଡିଭାଇଡର୍ରେ ପିଟି ହେବାରୁ ୩ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ମୃତକଙ୍କ ପୁଅ ଗୁରୁତର ଆହତ ହୋଇଛନ୍ତି। ଏହି ଦୁଃଖଦ ଘଟଣା ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି। ସୂଚନାନୁସାରେ, ବଲାଙ୍ଗୀର ଜିଲ୍ଲା ଦେଓଗାଁର ଈଶ୍ୱର ସାହୁ ଭୁବନେଶ୍ୱରରେ ମୃତ୍ୟୁବରଣ କରିଥିଲେ। ତାଙ୍କ ମୃତଦେହକୁ ଆମ୍ବୁଲାନ୍ସ ଯୋଗେ ଭୁବନେଶ୍ୱରରୁ ନିଜ ଗ୍ରାମ ଦେଓଗାଁକୁ ନିଆଯାଉଥିଲା। ଆମ୍ବୁଲାନ୍ସରେ ତାଙ୍କ ପୁଅ ନେତ୍ରଭାନୁ ସାହୁଙ୍କ ସମେତ କିଛି ସମ୍ପର୍କୀୟ ଯାତ୍ରା କରୁଥିଲେ। ତେବେ ଦଶପଲ୍ଲାର ୫୭ ନମ୍ବର ଜାତୀୟ ରାଜପଥ ଅନ୍ତର୍ଗତ ଶାଳଭଙ୍ଗା ଜଙ୍ଗଲ ନିକଟରେ ସନ୍ଧ୍ୟା ପ୍ରାୟ ୫ଟା ୩୦ ମିନିଟ୍ ସମୟରେ ଆମ୍ବୁଲାନ୍ସଟି ରାସ୍ତାକଡ଼ ଡିଭାଇଡର୍ରେ ଧକ୍କା ହୋଇଥିଲା। ଫଳରେ ଆମ୍ବୁଲାନ୍ସରେ ଥିବା ଲୋକମାନେ ଗୁରୁତର ଆହତ ହୋଇଥିଲେ। ଖବର ପାଇ ବାଣିଗୋଛା ପୁଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ସମସ୍ତ ଆହତଙ୍କୁ ଉଦ୍ଧାର କରି ଦଶପଲ୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇଥିଲା। ସେଠାରେ ଡାକ୍ତର ପ୍ରତାପ ବାଗ, ଶୀର୍ଷ ବାଗଙ୍କ ସମେତ ମୋଟ ୩ ଜଣଙ୍କୁ ମୃତ ଘୋଷଣା କରିଥିଲେ। ଅନ୍ୟପକ୍ଷରେ ଈଶ୍ୱର ସାହୁଙ୍କ ପୁଅ ନେତ୍ରଭାନୁ ସାହୁ ଗୁରୁତର ଆହତ ହୋଇଥିବାରୁ ତାଙ୍କୁ ଉନ୍ନତ ଚିକିତ୍ସା ପାଇଁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି। ଦୀପାବଳିର ଖୁସି ମଧ୍ୟରେ ଘଟିଥିବା ଏହି ମର୍ମନ୍ତୁଦ ଦୁର୍ଘଟଣା ଶୋକାକୁଳ ପରିବେଶ ସୃଷ୍ଟି କରିଛି। ଏକ ମୃତଦେହକୁ ନିଜ ଗାଁକୁ ନେଇ ଫେରୁଥିବା ପରିବାର ପାଇଁ ଏହି ଯାତ୍ରା ଆହୁରି ଦୁଃଖଦ ହୋଇପଡ଼ିଛି।