ନୟାଗଡ଼ରେ ଡକାୟତି ଘଟଣାର ପର୍ଦ୍ଦାଫାସ, ଦୁଇ ଗିରଫ

NAYAGADA TODAY-ନୟାଗଡ଼ ସଦର ଥାନା ଅନ୍ତର୍ଗତ ମଧୁବନ (ସୀତାରାମପୁର) ଗ୍ରାମରେ ଘଟିଥିବା ଡକାୟତି ଘଟଣାର ପର୍ଦ୍ଦାଫାସ କରିଛି ପୋଲିସ। ଏହି ଘଟଣାରେଦୁଇ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ତାଙ୍କଠାରୁ ସୁନା ଓ ରୁପା ଅଳଙ୍କାର ସମେତ ନଗଦ ୪୦ ହଜାର ଟଙ୍କା ଜବତ କରାଯାଇଛି। ଅନ୍ୟ ଅଭିଯୁକ୍ତମାନଙ୍କୁ ଧରିବା ଏବଂ ଅବଶିଷ୍ଟ ଲୁଟ୍ ସାମଗ୍ରୀ ଉଦ୍ଧାର ପାଇଁ ପୋଲିସର ତଦନ୍ତ ଜାରି ରହିଛି।ପୋଲିସ ସୂଚନା ଅନୁଯାୟୀ, ଗତ ଅକ୍ଟୋବର ୨୮ ଓ ୨୯ ତାରିଖ ମଧ୍ୟବର୍ତ୍ତୀ ରାତିରେ ମଧୁବନ ଗ୍ରାମର ଶରତ ସାହୁ (୩୮) ନିଜ ପରିବାର ସହ ଘରେ ଶୋଇଥିବା ସମୟରେ କିଛି ଦୁର୍ବୃତ୍ତ ଘରର ପଛପଟ ଗ୍ରିଲ୍ ଭାଙ୍ଗି ଭିତରକୁ ପଶିଥିଲେ। ସେମାନେ ଘରୁ ସୁନା ମାଳି, ସୁନା ଚେନ୍, ସୁନା ମୁଦି, ରୁପା ପାଉଁଜି, ସୁନା କାନଫୁଲ ଓ ନଗଦ ୪୫ ହଜାର ଟଙ୍କା ଲୁଟି ନେଇଥିଲେ। ଏଥିସହ ପରିବାର ସଦସ୍ୟଙ୍କୁ ଆକ୍ରମଣ କରି ଦୁଇଟି ମୋବାଇଲ୍ ଫୋନ୍ ମଧ୍ୟ ନେଇଯାଇଥିଲେ।ଏନେଇ ସଦର ଥାନାରେ ମାମଲା ରୁଜୁ ହେବା ପରେ ତଦନ୍ତ ଆରମ୍ଭ ହୋଇଥିଲା। ଘଟଣାସ୍ଥଳରେ ବୈଜ୍ଞାନିକ ଦଳ ଓ ସନ୍ଧାନୀ କୁକୁରର ସହାୟତା ନିଆଯିବା ସହ ଆଖପାଖ ଅଞ୍ଚଳର ସିସିଟିଭି ଫୁଟେଜ୍ ଯାଞ୍ଚ କରିଥିଲା ପୋଲିସ।ତଦନ୍ତ ବେଳେ ଓଡ଼ଗାଁ ଥାନା ଅଞ୍ଚଳର କୁରାଳ ଗ୍ରାମର ଆକାଶ ନାଏକ ଓରଫ ଗୁଣ୍ଡାଙ୍କୁ ବାଲୁଗାଁ ବଜାର ନିକଟରୁ ଅଟକ ରଖି ପଚରାଉଚରା କରାଯାଇଥିଲା। ତାଙ୍କ ବୟାନ ଆଧାରରେ ଅନ୍ୟ ସହଯୋଗୀଙ୍କ ସମ୍ପୃକ୍ତି ସମ୍ପର୍କରେ ପୋଲିସକୁ ସୂଚନା ମିଳିଥିଲା। ପରବର୍ତ୍ତୀ ସମୟରେ ଚଢ଼ାଉ କରି ତାଙ୍କ ଘରୁ ସୁନା ଓ ରୁପା ଅଳଙ୍କାର ସହ ୪୦ ହଜାର ଟଙ୍କା ଜବତ କରାଯାଇଥିଲା।ଏହି ଘଟଣାରେ ଅନ୍ୟ ଦୁଇ ଅଭିଯୁକ୍ତ ରକେଟ୍ ଓରଫ ସନ୍ତୋଷ ନାଏକ ଓ ସୁନୀଲ ଦଳେଇ ଏକ ରାସ୍ତା ଲୁଟ୍ ମାମଲାରେ ଭୁବନେଶ୍ୱରର ଖାରବେଳନଗର ଥାନା ପୋଲିସ ଦ୍ୱାରା ପୂର୍ବରୁ ଗିରଫ ହୋଇଥିବା ଜଣାପଡ଼ିଛି। ଗିରଫ ଆକାଶ ନାଏକଙ୍କୁ ଜେଲ୍ ହାଜତକୁ ପଠାଯାଇଛି।ଅନ୍ୟ ଫେରାର ଅଭିଯୁକ୍ତଙ୍କୁ ଗିରଫ କରିବା ସହ ଅବଶିଷ୍ଟ ଲୁଟ୍ ସାମଗ୍ରୀ ଉଦ୍ଧାର ପାଇଁ ସଦର ଥାନା ପୋଲିସ ତଦନ୍ତ ଜାରି ରଖିଛି।

You might also like