NAYAGADA TODAY-ଖଣ୍ଡପଡ଼ା ବ୍ଲକ ଶିଖରପୁର ଉଚ୍ଚ ବିଦ୍ୟାଳୟରେ ଶିକ୍ଷକ ଅଭାବ ଓ ଅବ୍ୟବସ୍ଥାକୁ ନେଇ ଅସନ୍ତୋଷ ତୀବ୍ର ହୋଇଛି। ସ୍ଥାୟୀ ପ୍ରଧାନଶିକ୍ଷକ ଓ ଗଣିତ ଶିକ୍ଷକ ନିଯୁକ୍ତି ଦାବିରେ ଶୁକ୍ରବାର ଛାତ୍ରଛାତ୍ରୀ ଓ ଅଭିଭାବକ ବିଦ୍ୟାଳୟରେ ତାଲା ପକାଇ ଧାରଣା ଦେଇଥିଲେ।ଦୀର୍ଘ ଦୁଇ ବର୍ଷ ଧରି ବିଦ୍ୟାଳୟରେ ପରିଚାଳନାଗତ ଅବ୍ୟବସ୍ଥା ଲାଗି ରହିଥିବାବେଳେ ଗଣିତ ଶିକ୍ଷକ ଓ ସ୍ଥାୟୀ ପ୍ରଧାନଶିକ୍ଷକ ନଥିବାରୁ ପାଠପଢ଼ା ସହ ମାଟ୍ରିକ୍ ଫର୍ମ ପୂରଣ ମଧ୍ୟ ବାଧାପ୍ରାପ୍ତ ହୋଇଛି। ମଧ୍ୟାହ୍ନଭୋଜନ, ପାନୀୟ ଜଳ ଓ ବିଭିନ୍ନ ଆର୍ଥିକ ଅନିୟମିତତା ନେଇ ମଧ୍ୟ ଅଭିଭାବକମାନେ ଅଭିଯୋଗ ଉଠାଇଛନ୍ତି।ଜିଲ୍ଲା ଶିକ୍ଷାଧିକାରୀ ଅନ୍ୟ ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କୁ ଅତିରିକ୍ତ ଦାୟିତ୍ୱ ଦେଇଥିଲେ ମଧ୍ୟ ଏହାକୁ ଗ୍ରହଣ କରିନାହାନ୍ତି ଆନ୍ଦୋଳନକାରୀ। ତୁରନ୍ତ ସ୍ଥାୟୀ ପ୍ରଧାନଶିକ୍ଷକ ନିଯୁକ୍ତି ଓ ବିଦ୍ୟାଳୟର ଅବ୍ୟବସ୍ଥା ଦୂର କରିବାକୁ ଦାବି କରିବା ସହ ଦାବି ପୂରଣ ନହେଲେ ଶନିବାର ଖଣ୍ଡପଡ଼ା-ନୟାଗଡ଼ ରାସ୍ତା ଅବରୋଧ କରିବାକୁ ଚେତାବନୀ ଦେଇଛନ୍ତି।ଅଭିଭାବକଙ୍କ କହିବା ଅନୁଯାୟୀ, ବିଦ୍ୟାଳୟରେ ଦୀର୍ଘଦିନ ଧରି ଲାଗି ରହିଥିବା ବିଶୃଙ୍ଖଳା ଯୋଗୁଁ ଶିକ୍ଷକମାନେ ରହିବାକୁ ଅନିଚ୍ଛା ପ୍ରକାଶ କରୁଛନ୍ତି। ତେଣୁ ଶିକ୍ଷା ବିଭାଗ ତୁରନ୍ତ ହସ୍ତକ୍ଷେପ କରି ସମସ୍ୟାର ସମାଧାନ କରିବାକୁ ଦାବି ହୋଇଛି।