NAYAGADA TODAY-ବାମନ ଅବକାଶ ସରକାରୀ ଉଚ୍ଚ ବିଦ୍ୟାଳୟ, ଇଟାମାଟିର ବାର୍ଷିକ କ୍ରୀଡ଼ା ଉତ୍ସବ ଆଜି ଉତ୍ସାହ, ଉଦ୍ଦୀପନା ଓ କ୍ରୀଡ଼ାମୟ ପରିବେଶ ମଧ୍ୟରେ ଉଦ୍ଘାଟିତ ହୋଇଛି। ବିଦ୍ୟାଳୟ ପରିସରରେ ଆୟୋଜିତ ଏହି ଦୁଇଦିନିଆ କ୍ରୀଡ଼ା ଉତ୍ସବରେ ପ୍ରାୟ ୧୫୦ ଛାତ୍ରଛାତ୍ରୀ ବିଭିନ୍ନ କ୍ରୀଡ଼ା ଓ ମନୋରଞ୍ଜନମୂଳକ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଛନ୍ତି।ଉତ୍ସବର ଏକ ଆକର୍ଷଣୀୟ ଦୃଶ୍ୟ ଥିଲା ମାଆ ତାରେଣୀଙ୍କ ପୀଠରୁ ଆସିଥିବା କ୍ରୀଡ଼ା ମଶାଲ ଯାହା ଗ୍ରାମ୍ୟ ପରିକ୍ରମଣ କରିବା ସହ ଶ୍ରଦ୍ଧା ଓ ଉତ୍ସାହର ସହିତ ବିଦ୍ୟାଳୟ ପରିସରରେ ସ୍ଥାପନ କରାଯାଇଥିଲା। ଏହି ମଶାଲ କ୍ରୀଡ଼ାର ଉତ୍ସାହ, ଏକତା, ଶୃଙ୍ଖଳା ଓ ନିରନ୍ତର ପ୍ରୟାସର ପ୍ରତୀକ ଭାବେ ଛାତ୍ରଛାତ୍ରୀଙ୍କ ମନରେ ନୂତନ ଉଦ୍ଦୀପନା ସୃଷ୍ଟି କରିଥିଲା।

ବିଦ୍ୟାଳୟର ପ୍ରଧାନଶିକ୍ଷକ ପ୍ରସନ୍ନ କୁମାର ମହାପାତ୍ର ପତାକା ଉତ୍ତୋଳନ କରି ଆନୁଷ୍ଠାନିକ ଭାବେ କ୍ରୀଡ଼ା ଉତ୍ସବର ଶୁଭାରମ୍ଭ କରିବା ସହ କ୍ରୀଡ଼ା କେବଳ ବିଜୟ କିମ୍ବା ପରାଜୟର ମାପକ ନୁହେଁ, ଏହା ଛାତ୍ରଛାତ୍ରୀଙ୍କ ଜୀବନରେ ଶୃଙ୍ଖଳା, ଆତ୍ମବିଶ୍ୱାସ, ସହଯୋଗ, ନେତୃତ୍ୱ ଓ ଦଳଗତ ମନୋଭାବ ଗଢ଼ି ତୋଳିବାର ଏକ ଉତ୍ତମ ମାଧ୍ୟମ। ବିଦ୍ୟାଳୟର ଏହି ବାର୍ଷିକ କ୍ରୀଡ଼ା ଉତ୍ସବ ଛାତ୍ରଛାତ୍ରୀଙ୍କ ଲୁକ୍କାୟିତ ପ୍ରତିଭାକୁ ଉନ୍ମୋଚନ କରିବା ସହ ସେମାନଙ୍କୁ ଭବିଷ୍ୟତରେ ଆହୁରି ଉନ୍ନତ ପ୍ରଦର୍ଶନ ପାଇଁ ପ୍ରେରଣା ଯୋଗାଇବ ବୋଲି ଆଶା କରାଯାଉଛି ବୋଲି ନିଜ ବକ୍ତବ୍ୟରେ କହିଥିଲେ। ଏହି ଅବସରରେ ମହାନଦୀ, ଗୋଦାବରୀ, ବୈତରଣୀ ଓ ଋଷିକୂଲ୍ୟା ହାଉସ୍ର ଛାତ୍ରଛାତ୍ରୀମାନେ ଶୃଙ୍ଖଳିତ ମାର୍ଚ୍ଚପାଷ୍ଟ ପ୍ରଦର୍ଶନ କରି ଅତିଥି ଓ ଉପସ୍ଥିତ ଶିକ୍ଷକମାନଙ୍କୁ ଅଭିବାଦନ ଜଣାଇଥିଲେ। ଚାରିଟି ହାଉସ୍ର ଶୃଙ୍ଖଳାବଦ୍ଧ ପଦଚାଳନା ଓ ସମନ୍ୱୟ କ୍ରୀଡ଼ା ଉତ୍ସବର ଆରମ୍ଭକୁ ଆହୁରି ଆକର୍ଷଣୀୟ କରିଥିଲା।ଉତ୍ସବରେ ବରିଷ୍ଠ ଶିକ୍ଷକ କିଶୋର ଚନ୍ଦ୍ର ପଣ୍ଡା ସମସ୍ତ ପ୍ରତିଯୋଗୀ ତଥା ଉପସ୍ଥିତ କ୍ରୀଡା ପରିଚାଳକମାନଙ୍କୁ ଶୃଙ୍ଖଳିତ କ୍ରୀଡା ପାଇଁ ଶପଥ ପାଠ କରାଇଥିବା ବେଳେ କ୍ରୀଡା ଶିକ୍ଷୟତ୍ରୀ ଦେବସ୍ମିତା ନାୟକ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ। ଅତିଥି କ୍ରୀଡ଼ା ଶିକ୍ଷକ ସ୍ମୃତିରଞ୍ଜନ ରାୟ, ଗଙ୍ଗାଧର ସେଠୀ ଓ ଧନେଶ୍ୱର ଗିଧି ବିଭିନ୍ନ କ୍ରୀଡ଼ା ପ୍ରତିଯୋଗିତାର ପରିଚାଳନା କରିଥିବା ବେଳେ ଶିକ୍ଷକ ମଳୟ ଦେହୁରୀ, ଚିନ୍ମୟୀ ନାୟକ, ବିଭୂତି ଭୂଷଣ ସାହୁ, ଆଦିତ୍ୟ ପ୍ରସାଦ ଦାସ , ସରୋଜ କୁମାର ମହାନ୍ତି ଓ ଶୁଭଲକ୍ଷ୍ମୀ ସାହୁ, କୃଷ୍ଣଚନ୍ଦ୍ର ମହାପାତ୍ର କ୍ରୀଡା ପରିଚାଳନା ରେ ସକ୍ରିୟ ସହଯୋଗ କରିଥିଲେ। ଦୁଇଦିନ ଧରି ଚାଲିଥିବା ଏହି କ୍ରୀଡ଼ା ଉତ୍ସବରେ ଛାତ୍ରଛାତ୍ରୀଙ୍କ ପାଇଁ ବିଭିନ୍ନ ବର୍ଗର ପ୍ରତିଯୋଗିତା ଆୟୋଜନ କରାଯାଇଛି। ଏଥିରେ ୧୦୦, ୨୦୦ ଓ ୪୦୦ ମିଟର ଦୌଡ଼, ଅଖା ଡିଆଁ, ଆଳୁ ଚାମଚ, ଗଣିତ, ଉଚ୍ଚଡିଆଁ, ଲମ୍ବଡିଆଁ, ସଟ୍ପୁଟ୍, ଡିସ୍କସ୍, ସଙ୍ଗୀତ ଚୌକି ଓ ପୁଚି, ଭଳି ପ୍ରତିଯୋଗିତା କରାଯାଉଛି।

ଏହି ପ୍ରତିଯୋଗିତାଗୁଡ଼ିକ ଛାତ୍ରଛାତ୍ରୀଙ୍କ ଶାରୀରିକ ଦକ୍ଷତା, ଧୈର୍ଯ୍ୟ ଓ ସମନ୍ୱୟ ଭାବ ସୃଷ୍ଟି କରିବା ସହ ସେମାନଙ୍କ ମଧ୍ୟରେ ସୁସ୍ଥ ପ୍ରତିଯୋଗିତାର ଭାବନା ସୃଷ୍ଟି କରିବ। ଶିକ୍ଷକ ଦିପୁନା ପ୍ରଧାନ ଓ ସୀତାରାମ ପ୍ରଧାନ, ଶୁଭେନ୍ଦୁ ବିଶ୍ୱାଳ ଧାରା ବିବରଣୀ ପ୍ରଦାନ କରିଥିଲେ। ଏନ.ସି.ସି. ଶିକ୍ଷକ ଶ୍ରୀହର୍ଷ ମହାପାତ୍ର ଙ୍କ ତତ୍ତ୍ୱ।ବଧାନରେ କ୍ୟାଡେଟମାନେ ଶାନ୍ତି ଶୃଙ୍ଖଳା ରକ୍ଷା କରିଥିବା ବେଳେ ଧନ୍ୟବାଦ ପ୍ରଦାନ କରିଥିଲେ ମୃତ୍ୟୁଞ୍ଜୟ ଷଡ଼ଙ୍ଗୀ। କ୍ରୀଡାବିତମାନଙ୍କୁ ଆସନ୍ତାକାଲି ଅନୁଷ୍ଠିତ ହେବାକୁ ଥିବା ଉଦ୍ଯାପନୀ ସମାରୋହରେ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯିବ।