ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଭାରତରତ୍ନ ସ୍ୱର୍ଗତା ଇନ୍ଦିରା ଗାନ୍ଧୀଙ୍କ ସ୍ମୃତି ଓ ତାଙ୍କର ଜନସେବାର ଆଦର୍ଶକୁ ସମ୍ମାନ ଜଣାଇ ଅକ୍ଟୋବର ୩୧ ତାରିଖକୁ ସହିଦ ଦିବସ ଭାବେ ପାଳନ ଅବସରରେ ନୟାଗଡ଼ ଜିଲ୍ଲା କଂଗ୍ରେସ ସେବାଦଳ ପକ୍ଷରୁ ଇଟାମାଟିସ୍ଥିତ ଆଶୀର୍ବାଦ ମଣ୍ଡପଠାରେ ଏକ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି। ଏହି ଶିବିରରେ ମୋଟ ୧୫ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା।୧୯୮୪ ମସିହା ଅକ୍ଟୋବର ୩୦ ତାରିଖରେ ଭୁବନେଶ୍ୱରଠାରେ ଦେଇଥିବା ନିଜର ଶେଷ ଭାଷଣରେ ଇନ୍ଦିରା ଗାନ୍ଧୀ ଦେଶ ଓ ଜନସାଧାରଣଙ୍କ ସେବା ପ୍ରତି ନିଜର ନିଷ୍ଠା ପ୍ରକାଶ କରିଥିଲେ। ଦେଶର ଏକତା ଓ ଅଖଣ୍ଡତା ପାଇଁ ତାଙ୍କର ଆତ୍ମବଳିଦାନର ଭାବନାକୁ ସ୍ମରଣ କରି କଂଗ୍ରେସ ସେବାଦଳ ପକ୍ଷରୁ ପ୍ରତିବର୍ଷ ଅକ୍ଟୋବର ୩୧ ତାରିଖରେ ସହିଦ ଦିବସ ପାଳନ ସହ ରକ୍ତଦାନ ଭଳି ଜନକଲ୍ୟାଣମୂଳକ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି।

ଓଡ଼ିଶା ପ୍ରଦେଶ କଂଗ୍ରେସ ସେବାଦଳର ଅଧ୍ୟକ୍ଷ ଶୁଭେନ୍ଦୁ କୁମାର ମହାନ୍ତିଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ରକ୍ତଦାନ ଶିବିର ଆୟୋଜନ କରାଯାଇଥିବା ବେଳେ ନୟାଗଡ଼ ଜିଲ୍ଲାରେ ମଧ୍ୟ ଏହି କାର୍ଯ୍ୟକ୍ରମ ସଫଳତାର ସହ ସମ୍ପନ୍ନ ହୋଇଥିଲା। ପ୍ରଦେଶ କଂଗ୍ରେସ ସେବାଦଳର ସାଧାରଣ ସମ୍ପାଦକ ମନୋଜ କୁମାର ସାହୁଙ୍କ ନେତୃତ୍ୱରେ ଶିବିରଟି ଆୟୋଜିତ ହୋଇଥିଲା।କାର୍ଯ୍ୟକ୍ରମର ପ୍ରାରମ୍ଭରେ ସେବାଦଳର ପର୍ଯ୍ୟବେକ୍ଷିକା ଉଷାରାଣୀ ବେହେରା ପ୍ରଦୀପ ପ୍ରଜ୍ୱଳନ କରିବା ସହ ସ୍ୱର୍ଗତା ଇନ୍ଦିରା ଗାନ୍ଧୀଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ଶିବିରର ଶୁଭାରମ୍ଭ କରିଥିଲେ।ଏହି ଅବସରରେ ଜିଲ୍ଲା କଂଗ୍ରେସ ସେବାଦଳର ସଭାପତି ଦିଗମ୍ବର ବେହେରା, ସଂଯୁକ୍ତ ସମ୍ପାଦକ ନବକିଶୋର ସାଥୁଆ, ଜିଲ୍ଲା ମହିଳା କଂଗ୍ରେସ ସଭାପତି ବୈଜୟନ୍ତୀବାଳା ମହାନ୍ତି, ନୟାଗଡ଼ ବ୍ଲକ କଂଗ୍ରେସ ସଭାପତି ହସମୀ ଖାଁଙ୍କ ସମେତ ଦାମୋଦର ସାହୁ, ଉମେଶ ପଟ୍ଟନାୟକ, ପ୍ରଫୁଲ୍ଲ ମିଶ୍ର, ଅନ୍ତର୍ଯ୍ୟାମୀ ସାହୁ, ଅଶୋକ ସାହୁ, ସୁରେଶ ମହାରଣା, ଶଶୀକାନ୍ତ, କାଳିଆ, ଦାମୋଦର ମହାରଣା ଓ ଜ୍ୟୋତିରଞ୍ଜନ ଦାଶଙ୍କ ସମେତ ବହୁ କଂଗ୍ରେସ କର୍ମୀ ଉପସ୍ଥିତ ଥିଲେ।ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଡାକ୍ତର ଦେବୀଦତ୍ତ ଦିବ୍ୟରଞ୍ଜନ ମିଶ୍ର ଓ ତାଙ୍କ ସହଯୋଗୀଙ୍କ ତତ୍ତ୍ୱାବଧାନରେ ରକ୍ତ ସଂଗ୍ରହ କାର୍ଯ୍ୟ ସୁଚାରୁରୂପେ ସମ୍ପନ୍ନ ହୋଇଥିଲା। ରକ୍ତଦାନ ମାଧ୍ୟମରେ ମାନବସେବା ଓ ଜୀବନରକ୍ଷାର ବାର୍ତ୍ତା ପ୍ରଚାର କରିବା ଏହି ଶିବିରର ମୁଖ୍ୟ ଉଦ୍ଦେଶ୍ୟ ଥିଲା।