NAYAGADA TODAY-ପବିତ୍ର କାର୍ତ୍ତିକ ପଞ୍ଚୁକ ବ୍ରତର ଦ୍ବିତୀୟ ଦିବସରେ ସମର୍ପଣ ବୃଦ୍ଧାଶ୍ରମ ପରିଚାଳନା କମିଟିର ସଭାପତି ତଥା ନୟାଗଡ଼ ଜିଲ୍ଲାପାଳଙ୍କ ପରାମର୍ଶକ୍ରମେ ସମର୍ପଣ ବୃଦ୍ଧାଶ୍ରମ,ନୟାଗଡ଼ର ଅନ୍ତେବାସୀ ମାନଙ୍କୁ ନେଇ ଏକ ଛୋଟିଆ ତୀର୍ଥଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି।ସମର୍ପଣ ସଂପାଦକ ସମାଜସେବୀ ଶ୍ରୀଧର ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସମର୍ପଣ ପରିଚାଳନା କମିଟିର ପ୍ରାକ୍ତନ କାର୍ଯ୍ଯକାରୀ ସଭାପତି ପ୍ରମୋଦ ପଟ୍ଟନାୟକ, ବରିଷ୍ଠ ସଦସ୍ଯ ମିହିର ରଂଜନ ନାୟକ ଓ ରୋଟାରୀ କ୍ଳବ୍ ସଭାପତି ବାସୁଦେବ ସାହୁ ଉପସ୍ଥିତ ଥିଲେ। ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ନୟାଗଡ଼ର ପୂର୍ଣ୍ଣ ସହଯୋଗରେ ଏହି ପବିତ୍ର କାର୍ଯ୍ୟ ଅତି ସୁରୁଖୁରୁରେ ଅନୁଷ୍ଠିତ ହୋଇଥିଲା ସର୍ବପ୍ରଥମେ ବିଦ୍ଯାଳୟର ସ୍କାଉଟ୍ ଛାତ୍ର ମାନେ ଅନ୍ତେବାସୀ ମଉସା ମାଉସୀ ମାନଙ୍କୁ ଫୁଲ ଚନ୍ଦନ ଦେଇ ବନ୍ଦାପନା କରିଥିଲେ। ତାପରେ ପରିଦର୍ଶନ ଯାତ୍ରା ଆରମ୍ଭ ହୋଇଥିଲା। ସ୍କାଉଟ୍ ଛାତ୍ର ମାନେ ଜେଜେବାପା ଜେଜେମାଆ ମାନଙ୍କୁ ସାଥିରେ ହାତଧରି ଗାଡି ଚଢିବାରେ ସହଯୋଗ କରିବା ସହିତ ମନ୍ଦିର ପାହଚ ଚଢିବା ଓ ଠାକୁର ଦର୍ଶନ କରିବାରେ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ।ପବିତ୍ର କାର୍ତ୍ତିକ ପଞ୍ଚୁକରେ ଓଡଗାଁର ଶ୍ରୀରଘୁନାଥ ମନ୍ଦିର, ଶରଣକୂଳର ଲଡୁବାବା ମନ୍ଦିର ଦର୍ଶନ କରି ଅନ୍ତେବାସୀ ମାନେ ବହୁତ ଖୁସି ବ୍ଯକ୍ତ କରିଥିଲେ। ରଘୁନାଥ ମନ୍ଦିର ଓ ଲଡୁବାବା ମନ୍ଦିର ପରିଚାଳନା କମିଟିର ସଦସ୍ଯ ମାନେ ଗହଳି ଭିତରେ ଠାକୁରଙ୍କ ଦର୍ଶନ କରେଇଦେବାରେ ସହଯୋଗ କରିଥିବାରୁ ଆଶ୍ରମ ତରଫରୁ ଧନ୍ଯବାଦ ଜ୍ଞାପନ କରାଯାଇଥିଲା।ଭାରତୀୟ ସଂସ୍କୃତି ପରମ୍ପରାକୁ ବଜାଇ ରଖିବା ପାଇଁ ଏହି ନିଆରା ପ୍ରୟାସକୁ ଜନ ସାଧାରଣ ପ୍ରସଂଶା କରିଥିଲେ। ଆଜିର ଏହି କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ ମାନେ ଗୁରୁଜନ ତଥା ଜେଜେବାପା ଜେଜେମାଆ ମାନଙ୍କ ସେବା କରିବାର ସୁଯୋଗ ପାଇଥିବା ବେଳେ ଅନ୍ତେବାସୀ ବୃଦ୍ଧ ମଉସା ମାଉସୀ ମାନେ ନାତିନାତୁଣୀ ମାନଙ୍କ ଠାରୁ ଦୂରେଇ ଥିବାର ଦୁଃଖକୁ ଲାଘବ କରିବାର ଏକ ଅବସର ପାଇଥିଲେ ।