କୁଆଁରିଆ ଡାକବଙ୍ଗଳାରେ ଉତ୍କଳ ସାମ୍ବାଦିକ ସଂଘର ଗଣିଆ ନୂଆଗାଁ ଓ ଦଶପଲ୍ଲା ବ୍ଲକର ମିଳିତ ବନ୍ଧୁମିଳନ:ସାମ୍ବାଦିକଙ୍କ ଏକତା ଓ ସଂଗଠନ ସୁଦୃଢ଼ ଉପରେ ଗୁରୁତ୍ୱ
NAYAGADA TODAY-ସାମ୍ବାଦିକଙ୍କ ମଧ୍ୟରେ ଏକତା, ଭାଇଚାରା ଓ ସଂଗଠନକୁ ଅଧିକ ସୁଦୃଢ଼ କରିବା ଲକ୍ଷ୍ୟରେ ନୟାଗଡ଼ ଜିଲ୍ଲା ଦଶପଲ୍ଲାସ୍ଥିତ କୁଆଁରିଆ ଜଳସେଚନ ଡାକବଙ୍ଗଳା ପରିସରରେଉତ୍କଳ ସାମ୍ବାଦିକ ସଂଘ ନୟାଗଡ଼ ଜିଲ୍ଲା ଶାଖାର 3ଟି ବ୍ଲକର ସଦସ୍ୟ ମାନଙ୍କୁ ନେଇ ଏକ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସଂଘର ଗଣିଆ, ନୂଆଗାଁ ଓ ଦଶପଲ୍ଲା ବ୍ଲକର ସଦସ୍ୟଙ୍କ ସହ ନୟାଗଡ଼ ଜିଲ୍ଲା ଶାଖାର କାର୍ଯ୍ୟକର୍ତ୍ତା ସଦସ୍ୟ ମାନେ ଏଥିରେ ଯୋଗଦେଇଥିଲେ। ଏହି ବନ୍ଧୁମିଳନ କାର୍ଯ୍ୟକ୍ରମରେ ଉତ୍କଳ ସାମ୍ବାଦିକ ସଂଘର ଜିଲ୍ଲା ସଭାପତି ଚିତ୍ତରଞ୍ଜନ ମିଶ୍ର, ସମ୍ପାଦକ ବୈଦ୍ୟ ଭୂଷଣ ମହାପାତ୍ର, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରଶାନ୍ତ କୁମାର ସାହୁ, ଜିଲ୍ଲା କାର୍ଯ୍ୟକାରୀ ସଭାପତି ରବୀନ୍ଦ୍ର କୁମାର ଦାଶ, ଦଶପଲ୍ଲା ପ୍ରେସ କ୍ଲବ ସଭାପତି ସୁରେଶ କୁମାର ବେହେରା, ଉତ୍କଳ ସାମ୍ବାଦିକ ସଂଘ ଦଶପଲ୍ଲା ବ୍ଲକର ସଭାପତି ତଥା ଜିଲ୍ଲା ଉପ ସଭାପତି ପ୍ରଫୁଲ୍ଲ କୁମାର ଦାଶ, ନୂଆଗାଁ ବ୍ଲକ କାର୍ଯ୍ୟକାରୀ ସଭାପତି ସୁକେନ୍ଦୁ କୁମାର ଦାସ, ସମ୍ପାଦକ ହୃଦାନନ୍ଦ ଶାସମଲ, ଗଣିଆ ବ୍ଲକ ସଭାପତି ଦେବୀପ୍ରସାଦ ଦାଶ ଓ ସମ୍ପାଦକ ଜ୍ଞାନୀ ପ୍ରକାଶ ସେନାପତିଙ୍କ ସମେତ ବହୁ ସାମ୍ବାଦିକ ଉପସ୍ଥିତ ଥିଲେ। ସଭାରେ ସଂଘକୁ ଅଧିକ ସୁଦୃଢ଼ ଓ ଏକତାବଦ୍ଧ କରିବା, ସାମ୍ବାଦିକମାନଙ୍କ ବିଭିନ୍ନ ସମସ୍ୟାର ସମାଧାନ ଏବଂ ନିର୍ଭୀକ ଓ ନିରପେକ୍ଷ ସାମ୍ବାଦିକତାର ଗୁରୁତ୍ୱ ଉପରେ ଅତିଥିମାନେ ମତବ୍ୟକ୍ତ କରିଥିଲେ। ଏଥିସହ ସାମ୍ବାଦିକଙ୍କ ସୁରକ୍ଷା ନିମନ୍ତେ ସ୍ୱତନ୍ତ୍ର ଆଇନ ପ୍ରଣୟନ, ବୟସ୍କ ସାମ୍ବାଦିକଙ୍କୁ ପେନସନ ପ୍ରଦାନ ଏବଂ ସାମ୍ବାଦିକଙ୍କ ସ୍ୱାସ୍ଥ୍ୟବୀମା ଯୋଜନାର ପରିସର ବୃଦ୍ଧି କରିବା ନିମନ୍ତେ ସରକାରଙ୍କ ନିକଟରେ ଦାବି ଉପସ୍ଥାପନ କରିବାକୁ ସଭାରେ ପ୍ରସ୍ତାବ ଆଗତ ହୋଇଥିଲା। ଶେଷରେ ନୟାଗଡ଼ ଜିଲ୍ଲା ଉତ୍କଳ ସାମ୍ବାଦିକ ସଂଘକୁ ଆହୁରି ସୁଦୃଢ଼ କରିବା ସହ ସାମ୍ବାଦିକଙ୍କ ସ୍ୱାର୍ଥ, ସମ୍ମାନ ଓ ଅଧିକାରର ସୁରକ୍ଷା ପାଇଁ ସମସ୍ତେ ଏକଜୁଟ ହୋଇ କାର୍ଯ୍ୟ କରିବାକୁ ସଂକଳ୍ପ ନେଇଥିଲେ।