NAYAGADA TODAY-ନୟାଗଡ଼ ଜିଲ୍ଲା ମହୋତ୍ସବ ସହିତ ପଲ୍ଲୀଶ୍ରୀ କୃଷି ଯନ୍ତ୍ରପାତି ଓ ପୁସ୍ତକ ମେଳା ଆୟୋଜନ ନିମନ୍ତେ ଶନିବାର ଜିଲ୍ଲା ପରିଷଦ କାର୍ଯ୍ୟାଳୟସ୍ଥିତ ସୃଜନ ହଲ୍ଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।ବାଚସ୍ପତି ସୁରମା ପାଢ଼ୀ,ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ. ଦେବାଶିଷ ପଟ୍ଟନାୟକ, ଜିଲ୍ଲାପାଳ ମଧୁମିତା ରଥ, ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ, ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଏବଂ ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କ ଉପସ୍ଥିତିରେ ମହୋତ୍ସବର ସଫଳ ଆୟୋଜନ ନେଇ ବିଭିନ୍ନ ଦିଗରେ ଆଲୋଚନା ହୋଇଥିଲା।ଜିଲ୍ଲାର କଳା, ସଂସ୍କୃତି, ପରମ୍ପରା ଓ ଐତିହ୍ୟକୁ ଲୋକଲୋଚନକୁ ଆଣିବା ସହ ସ୍ଥାନୀୟ କଳାକାରଙ୍କ ପ୍ରତିଭା ପ୍ରଦର୍ଶନ ପାଇଁ ମହୋତ୍ସବରେ ସୁଯୋଗ ସୃଷ୍ଟି କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା। ସେହିପରି ପଲ୍ଲୀଶ୍ରୀ ମେଳା ମାଧ୍ୟମରେ ମହିଳା ସ୍ୱୟଂସହାୟକ ଗୋଷ୍ଠୀ ଓ ଗ୍ରାମୀଣ କାରିଗରଙ୍କ ଉତ୍ପାଦିତ ସାମଗ୍ରୀର ପ୍ରଚାର ଓ ବିକ୍ରୟ, କୃଷି ଯନ୍ତ୍ରପାତି ମେଳା ମାଧ୍ୟମରେ ଚାଷୀଙ୍କୁ ଆଧୁନିକ କୃଷି ଯନ୍ତ୍ରପାତି ସମ୍ପର୍କରେ ସଚେତନ କରିବା ଏବଂ ପୁସ୍ତକ ମେଳା ମାଧ୍ୟମରେ ପାଠକଙ୍କ ମଧ୍ୟରେ ପୁସ୍ତକ ପଠନ ଅଭ୍ୟାସ ବୃଦ୍ଧି କରିବା ଉପରେ ଆଲୋଚନା ହୋଇଥିଲା।ମହୋତ୍ସବକୁ ଆକର୍ଷଣୀୟ, ଶୃଙ୍ଖଳିତ ଓ ସଫଳ କରିବା ପାଇଁ ସମସ୍ତ ବିଭାଗ ମଧ୍ୟରେ ସମନ୍ୱୟ ରଖି ଆବଶ୍ୟକ ପ୍ରସ୍ତୁତି ଓ ବ୍ୟବସ୍ଥା ଗ୍ରହଣ କରିବା ଉପରେ ବୈଠକରେ ଗୁରୁତ୍ୱ ଦିଆଯାଇଥିଲା।