ବାତ୍ୟା ‘ ଅକୱାନ’ ପାଇଁ ୧୯ ଓ ୨୦ରେ ନୟାଗଡ଼ ଜିଲ୍ଲାର ସମସ୍ତ ସ୍କୁଲ ବନ୍ଦ

NAYAGADA TODAY-ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ଯୋଗୁଁ ସମ୍ଭାବ୍ୟ ବାତ୍ୟା ‘ଅକୱାନ’ର ପରିସ୍ଥିତି ଏବଂ ପ୍ରବଳ ବର୍ଷା ଓ ଝଡ଼ ପବନର ଆଶଙ୍କାକୁ ଦୃଷ୍ଟିରେ ରଖି ନୟାଗଡ଼ ଜିଲ୍ଲାର ସମସ୍ତ ବିଦ୍ୟାଳୟକୁ ଦୁଇ ଦିନ ପାଇଁ ବନ୍ଦ ଘୋଷଣା କରାଯାଇଛି। ନୟାଗଡ଼ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ପକ୍ଷରୁ ନଭେମ୍ବର ୧୮ ତାରିଖରେ ଜାରି ହୋଇଥିବା ନୋଟିସ୍ ଅନୁଯାୟୀ, ଆସନ୍ତା ନଭେମ୍ବର ୧୯ ଓ ୨୦ ତାରିଖରେ ଜିଲ୍ଲାର ସମସ୍ତ ପ୍ରାଥମିକ, ଉଚ୍ଚ ପ୍ରାଥମିକ, ମାଧ୍ୟମିକ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ବନ୍ଦ ରହିବ। ଏହି ନିର୍ଦ୍ଦେଶ ସରକାରୀ ଓ ବେସରକାରୀ ସମସ୍ତ ବିଦ୍ୟାଳୟ ସମେତ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଏବଂ ଜବାହର ନବୋଦୟ ବିଦ୍ୟାଳୟ ପାଇଁ ମଧ୍ୟ ଲାଗୁ ହେବ। ତେବେ ବିଦ୍ୟାଳୟ ବନ୍ଦ ରହିଲେ ମଧ୍ୟ ଶିକ୍ଷକ ଓ ଅନ୍ୟ କର୍ମଚାରୀମାନେ ଛୁଟିରେ ନରହି ନିଜ ନିଜ ବିଦ୍ୟାଳୟରେ ଉପସ୍ଥିତ ରହିବାକୁ ନୋଟିସ୍‌ରେ ସ୍ପଷ୍ଟ ନିର୍ଦ୍ଦେଶ ଦିଆଯାଇଛି। ଛାତ୍ରଛାତ୍ରୀଙ୍କ ସୁରକ୍ଷା ଏବଂ ସମ୍ଭାବ୍ୟ ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ଉଦ୍ଦେଶ୍ୟରେ ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶକ୍ରମେ ଏହି ପଦକ୍ଷେପ ନିଆଯାଇଛି। ଏନେଇ ଜିଲ୍ଲାର ସମସ୍ତ ବିଦ୍ୟାଳୟର ପ୍ରଧାନଶିକ୍ଷକ ଓ ଅଧ୍ୟକ୍ଷମାନଙ୍କୁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ ପାଇଁ ନିର୍ଦ୍ଦେଶ ଜାରି ହୋଇଛି।

You might also like