NAYAGADA TODAY-ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଟିକେଟ୍ କାଉଣ୍ଟର ପରିସରରେ ବେଆଇନ ଭାବେ ମୋଟରସାଇକେଲ ପାର୍କିଂ କରାଯିବା ଘଟଣା ଏବେ ଚିନ୍ତାର ବିଷୟ ପାଲଟିଛି। ଏହାକୁ ନେଇ ସାଧାରଣ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଟିକେଟ୍ କାଉଣ୍ଟର ନିକଟରେ ସ୍ପଷ୍ଟ ଭାବେ ‘ନୋ ପାର୍କିଂ’ (No Parking) ଲେଖାଥିବା ଫଳକ ଲାଗିଥିଲେ ମଧ୍ୟ ନିଷିଦ୍ଧ ଅଞ୍ଚଳରେ ବାରମ୍ବାର ମୋଟରସାଇକେଲ ପାର୍କିଂ କରାଯାଉଛି। ଏହା ହସ୍ପିଟାଲର ନିୟମ ପାଳନ ଏବଂ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କ ଦାୟିତ୍ୱବୋଧ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।ସ୍ଥାନୀୟ ଲୋକଙ୍କ ପର୍ଯ୍ୟବେକ୍ଷଣ ଅନୁଯାୟୀ, ହସ୍ପିଟାଲର ଟିକେଟ୍ କାଉଣ୍ଟର ନିକଟସ୍ଥ ଏହି ଅଞ୍ଚଳକୁ ଏକ୍ସ-ରେ ଓ ହାଡ଼ ଭଙ୍ଗା ସମ୍ବନ୍ଧୀୟ ବିଭିନ୍ନ ପରୀକ୍ଷା କରାଇବା ପାଇଁ ରୋଗୀମାନେ ନିୟମିତ ଆସିଥାନ୍ତି। ସେମାନଙ୍କ ମଧ୍ୟରେ ଅନେକ ଦୁର୍ଘଟଣାଗ୍ରସ୍ତ, ହାଡ଼ ଭାଙ୍ଗିଥିବା ରୋଗୀ ଏବଂ ଚାଲିବାରେ ଅସୁବିଧା ଭୋଗୁଥିବା ବ୍ୟକ୍ତି ରହିଛନ୍ତି। କେତେକ ରୋଗୀଙ୍କୁ ଗୋଟିଏ ବିଭାଗରୁ ଅନ୍ୟ ବିଭାଗକୁ ନେବା ପାଇଁ ହ୍ୱିଲ୍ଚେୟାର କିମ୍ବା ଷ୍ଟ୍ରେଚରର ଆବଶ୍ୟକତା ପଡ଼ିଥାଏ।କିନ୍ତୁ ଏହି ଅଞ୍ଚଳରେ ମୋଟରସାଇକେଲ ପାର୍କିଂ କରାଯାଉଥିବାରୁ ରୋଗୀ ଓ ସେମାନଙ୍କ ସହଯୋଗୀମାନେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବେଆଇନ ପାର୍କିଂ ଯୋଗୁଁ ରୋଗୀଙ୍କ ଯାତାୟାତ ପାଇଁ ଉଦ୍ଦିଷ୍ଟ ମୂଲ୍ୟବାନ ସ୍ଥାନ ଅବରୋଧ ହେଉଛି। ଫଳରେ ରୋଗୀମାନଙ୍କୁ ପରୀକ୍ଷା କକ୍ଷ ଭିତରକୁ ପ୍ରବେଶ କରିବା ଓ ବାହାରକୁ ଆସିବାରେ ବାଧା ସୃଷ୍ଟି ହେଉଛି।ଏଭଳି ସମ୍ବେଦନଶୀଳ ସ୍ଥାନରେ ବେଆଇନ ପାର୍କିଂ ରୋକିବା ସହ ରୋଗୀଙ୍କ ସୁବିଧା ପାଇଁ ହସ୍ପିଟାଲ କର୍ତ୍ତୃପକ୍ଷ ତୁରନ୍ତ ଉଚିତ ପଦକ୍ଷେପ ଗ୍ରହଣ କରିବା ଆବଶ୍ୟକ l