NAYAGADA TODAY-ନୟାଗଡ଼ର ବିଧାୟକ ଡଃ ଅରୁଣ କୁମାର ସାହୁଙ୍କ ଫଟୋକୁ ଅଶ୍ଳୀଳ ଓ ଅପମାନଜନକ ଭାବେ ଏଡିଟ୍ କରି ସୋସିଆଲ୍ ମିଡିଆରେ ପ୍ରସାର କରାଯାଉଥିବା ନେଇ ନୟାଗଡ଼ ଟାଉନ୍ ଥାନାରେ ଏକ ଲିଖିତ ଅଭିଯୋଗ ଦାଖଲ କରାଯାଇଛି lନୟାଗଡ଼ ଜିଲ୍ଲା ଦୁର୍ଗାପ୍ରସାଦ ଗ୍ରାମର ପ୍ରତାପ ବେହେରାଙ୍କ ପୁଅ ଚିନ୍ମୟ କୁମାର ବେହେରା (୨୩) ଟାଉନ୍ ଥାନା ଭାରପ୍ରାପ୍ତ ଅଧିକାରୀ (IIC)ଙ୍କ ନିକଟରେ ଏହି ଏତଲା ଦେଇଛନ୍ତି। ସେ ତାଙ୍କ ଅଭିଯୋଗ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ, ହିଞ୍ଜିଳିକାଟୁ ଅଞ୍ଚଳର ରବୀନ୍ଦ୍ର ପ୍ରଧାନ ଏବଂ ନୟାଗଡ଼ର ମନୀଷ ବେହେରା ନାମକ ଦୁଇଜଣ ବ୍ୟକ୍ତି ବିଧାୟକ ଡଃ ଅରୁଣ କୁମାର ସାହୁଙ୍କ ଫଟୋକୁ ଅତ୍ୟନ୍ତ ଅଶ୍ଳୀଳ ଓ ଅପମାନଜନକ ଭାବେ ଏଡିଟ୍ କରିଛନ୍ତି। ଉକ୍ତ ଫଟୋରେ ବିଧାୟକଙ୍କୁ ଚୁଡ଼ି, ବ୍ଲାଉଜ୍ ଓ ଶାଢ଼ୀ ପିନ୍ଧାଇ ଫେସବୁକ୍ (Facebook) ଏବଂ ଇନଷ୍ଟାଗ୍ରାମ (Instagram) ଭଳି ସୋସିଆଲ୍ ମିଡିଆ ପ୍ଲାଟଫର୍ମରେ ସାର୍ବଜନୀନ ଭାବେ ପୋଷ୍ଟ କରାଯାଇଛି।ଜଣେ ଜନପ୍ରତିନିଧିଙ୍କର ଏଭଳି ବିକୃତ ଫଟୋ ପ୍ରସାର କରିବା ଦ୍ୱାରା ତାଙ୍କର ବ୍ୟକ୍ତିଗତ ସମ୍ମାନ, ମର୍ଯ୍ୟାଦା ଓ ସାମାଜିକ ପ୍ରତିଷ୍ଠା କ୍ଷୁଣ୍ଣ ହେବା ସହ ସାଧାରଣ ଲୋକଙ୍କ ମଧ୍ୟରେ ତାଙ୍କ ପ୍ରତି ଅପମାନଜନକ ଭାବନା ସୃଷ୍ଟି ହେବାର ଆଶଙ୍କା ରହିଥିବା ଅଭିଯୋଗକାରୀ ଦର୍ଶାଇଛନ୍ତି। ଏଥିସହ ସମ୍ପୃକ୍ତ ସୋସିଆଲ୍ ମିଡିଆ ପୋଷ୍ଟଗୁଡ଼ିକର ସ୍କ୍ରିନସଟ୍ (Screenshot) ପ୍ରମାଣ ସ୍ୱରୂପ ତାଙ୍କ ନିକଟରେ ଉପଲବ୍ଧ ଥିବା ଏବଂ ଆବଶ୍ୟକ ସ୍ଥଳେ ପୋଲିସ ପ୍ରଶାସନକୁ ଦାଖଲ କରାଯିବ ବୋଲି ସେ ଜଣାଇଛନ୍ତି।ଘଟଣାର ନିରପେକ୍ଷ ତଦନ୍ତ କରି ସମ୍ପୃକ୍ତ ଦୁଇ ବ୍ୟକ୍ତିଙ୍କ ସୋସିଆଲ୍ ମିଡିଆ ଆକାଉଣ୍ଟ, ପୋଷ୍ଟ ଓ ଡିଜିଟାଲ୍ ପ୍ରମାଣଗୁଡ଼ିକର ଯାଞ୍ଚ କରିବା ସହ ଆଇନ ଅନୁଯାୟୀ ଉପଯୁକ୍ତ ଦଫାରେ ମାମଲା ରୁଜୁ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅଭିଯୋଗକାରୀ ଦାବି କରିଛନ୍ତି। ଏଥିସହ ଉକ୍ତ ଅଶ୍ଳୀଳ ଫଟୋଗୁଡ଼ିକର ଅଧିକ ପ୍ରସାର ରୋକିବା ପାଇଁ ତୁରନ୍ତ ପଦକ୍ଷେପ ନେବାକୁ ସେ ପୋଲିସ ନିକଟରେ ନିବେଦନ କରିଛନ୍ତି l