NAYAGADA TODAY-ସରକାରୀ ଅର୍ଥ ହେରଫେର ଏବଂ କର୍ତ୍ତବ୍ୟରେ ଅବହେଳା ଅଭିଯୋଗରେ ନୂଆଗାଁ ବ୍ଲକର ପଞ୍ଚାୟତ ନିର୍ବାହୀ ଅଧିକାରୀ (ପିଇଓ) ବିଚିତ୍ରାନନ୍ଦ ସାହୁଙ୍କୁ ନିଲମ୍ବନ କରାଯାଇଛି। ଏନେଇ ନୟାଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, ଗ୍ରାମ ପଞ୍ଚାୟତ ବିଭାଗ ପକ୍ଷରୁ ୧୧ ନଭେମ୍ବର ୨୦୨୬ରେ ଏକ ନିର୍ଦ୍ଦେଶନାମା ଜାରି ହୋଇଛି।ନିର୍ଦ୍ଦେଶନାମା ଅନୁଯାୟୀ, ନୂଆଗାଁ ବିଡିଓଙ୍କ ପକ୍ଷରୁ ପ୍ରଦାନ କରାଯାଇଥିବା ବିଭିନ୍ନ ରିପୋର୍ଟ ଆଧାରରେ ସମ୍ପୃକ୍ତ ପିଇଓଙ୍କ ବିରୋଧରେ କର୍ତ୍ତବ୍ୟରେ ଅବହେଳା, ଦାୟିତ୍ୱହୀନତା ଏବଂ ସରକାରୀ ଅର୍ଥ ହେରଫେର ଅଭିଯୋଗ ଆସିଛି। ଏହି ଅଭିଯୋଗରେ ବିଭାଗୀୟ ଶୃଙ୍ଖଳାଗତ ପ୍ରକ୍ରିୟା ଆରମ୍ଭ ହେବାକୁ ଥିବାରୁ ଓଡ଼ିଶା ସିଭିଲ ସର୍ଭିସେସ୍ (କ୍ଲାସିଫିକେସନ୍, କଣ୍ଟ୍ରୋଲ ଆଣ୍ଡ ଅପିଲ) ନିୟମ, ୧୯୬୨ର ନିୟମ ୧୨ ଅନୁଯାୟୀ ତାଙ୍କୁ ନିଲମ୍ବନ କରାଯାଇଛି।ନିଲମ୍ବନ ଅବଧି ମଧ୍ୟରେ ତାଙ୍କର ମୁଖ୍ୟାଳୟ ନୟାଗଡ଼ ଜିଲ୍ଲା ପଞ୍ଚାୟତ କାର୍ଯ୍ୟାଳୟ ରହିବ। କର୍ତ୍ତୃପକ୍ଷଙ୍କ ପୂର୍ବ ଅନୁମତି ବିନା ସେ ମୁଖ୍ୟାଳୟ ଛାଡ଼ିପାରିବେ ନାହିଁ। ଏହି ସମୟରେ ନିୟମ ଅନୁଯାୟୀ ତାଙ୍କୁ ଜୀବିକା ନିର୍ବାହ ଭତ୍ତା ମିଳିବ ବୋଲି ନିର୍ଦ୍ଦେଶରେ ଉଲ୍ଲେଖ ରହିଛି।ଏହି ନିଲମ୍ବନ ନିର୍ଦ୍ଦେଶ ପରେ ନୂଆଗାଁ ବ୍ଲକ ପ୍ରଶାସନିକ ମହଲରେ ଚର୍ଚ୍ଚା ଜୋର ଧରିଛି। ତେବେ ଅଭିଯୋଗର ସତ୍ୟାସତ୍ୟ ବିଭାଗୀୟ ତଦନ୍ତ ପରେ ସ୍ପଷ୍ଟ ହେବ।