NAYAGADA TODAY-ଗଣିଆ ଥାନା ଅନ୍ତର୍ଗତ ବେଲପଡ଼ାପାଟଣା ପଞ୍ଚାୟତର ମହାନଦୀକୂଳ ନିକଟସ୍ଥ ଧାନ ବିଲରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଏହି ଅଘଟଣରେ ଗୋଟିଏ ଟ୍ରାକ୍ଟର ସମେତ ପ୍ରାୟ ୧୦ ଗାଡ଼ି ଅମଳକ୍ଷମ ଧାନ ସମ୍ପୂର୍ଣ୍ଣ ପୋଡ଼ି ପାଉଁଶ ହୋଇଯାଇଛି।ସୂଚନା ଅନୁଯାୟୀ, ବେଲପଡ଼ା ୱାଲିପୁର ଗ୍ରାମର ଚାଷୀ ମୁଷା ଗଣ୍ଠିଆ, କୁଳମଣି ରାଉଳ, ବିକ୍ରମt ସ୍ୱାଇଁ ଏବଂ ଶରତବନ୍ଧୁ ବେହେରା ଗହୀର ବିଲ ମଝିରେ ଟ୍ରାକ୍ଟର ସହାୟତାରେ ଧାନ ଅମଳ (ବେଙ୍ଗଳା) କରୁଥିଲେ। ଅମଳ କାର୍ଯ୍ୟ ଚାଲିଥିବା ସମୟରେ ହଠାତ୍ ଟ୍ରାକ୍ଟର ଇଞ୍ଜିନରୁ ନିଆଁ ବାହାରି ଜଳି ଉଠିଥିଲା। ଚାଷୀମାନେ କିଛି ବୁଝିବା ପୂର୍ବରୁ ନିଆଁର ପ୍ରକୋପ ବଢ଼ିଯାଇଥିଲା ଏବଂ ଅମଳ ପାଇଁ ଗଦା ହୋଇଥିବା ପାଖ ଧାନ କଳେଇଗୁଡ଼ିକରେ ନିଆଁ ଲାଗି ହୁ ହୁ ହୋଇ ଜଳିବାକୁ ଲାଗିଥିଲା।ଖବର ପାଇ ଗଣିଆ ଅଗ୍ନିଶମ ବାହିନୀର ଅଧିକାରୀ ବିଜୟାନନ୍ଦ ପରିଡ଼ାଙ୍କ ନେତୃତ୍ୱରେ କର୍ମଚାରୀମାନେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ମାତ୍ର ସେତେବେଳକୁ ଟ୍ରାକ୍ଟରଟି ସମ୍ପୂର୍ଣ୍ଣ ଜଳିଯାଇଥିବା ବେଳେ ପ୍ରାୟ ୧୦ ଗାଡ଼ି ଧାନ ପୋଡ଼ି ନଷ୍ଟ ହୋଇଯାଇଥିଲା।ଅଗ୍ନିଶମ ଅଧିକାରୀଙ୍କ ପ୍ରାଥମିକ ଆକଳନ ଅନୁଯାୟୀ, ଜଳିଯାଇଥିବା ଟ୍ରାକ୍ଟର ଓ ଧାନର ଆନୁମାନିକ ମୂଲ୍ୟ ପ୍ରାୟ ୧୦ ଲକ୍ଷ ଟଙ୍କା ହେବ ବୋଲି ଜଣାପଡ଼ିଛି। ଅଗ୍ନିକାଣ୍ଡରେ କ୍ଷତିଗ୍ରସ୍ତ ହୋଇଥିବା ଟ୍ରାକ୍ଟରଟି ବେଲପଡ଼ାପାଟଣା ଗ୍ରାମର ରାଜ କିଶୋର ସାହୁଙ୍କର ବୋଲି ସୂଚନା ମିଳିଛି। ବର୍ଷକର କଷ୍ଟୋପାର୍ଜିତ ଅମଳ ଧାନ ପୋଡ଼ି ପାଉଁଶ ହୋଇଯାଇଥିବାରୁ କ୍ଷତିଗ୍ରସ୍ତ ଚାଷୀମାନେ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଛନ୍ତି। ପ୍ରଶାସନ ପକ୍ଷରୁ ତୁରନ୍ତ କ୍ଷୟକ୍ଷତି ଆକଳନ କରାଯାଇ କ୍ଷତିଗ୍ରସ୍ତ ଚାଷୀ ଓ ଟ୍ରାକ୍ଟର ମାଲିକଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ସ୍ଥାନୀୟ ଅଞ୍ଚଳବାସୀ ଦାବି କରିଛନ୍ତି l